ଗୋପରେ ବଢୁଛି କଳା କହ୍ନେଇ ! ଦୈବବାଣୀ ପରେ ବଢ଼ୁଛି ମଥୁରା ନରେଶଙ୍କ ସଂକଟ, ବରଗଡ଼ ଧନୁଯାତ୍ରାରେ ଜମୁଛି ଦ୍ୱାପର ଯୁଗର କଥା ।

79

କନକ ବ୍ୟୁରୋ : ଚଳଚଂଚଳ ବରଗଡ଼ ସହର । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ମଥୁରା ନଗରୀ ପାଲଟିଥିବା ଏହି ସହରରେ ଏବେ ଚାଲିଛି ମହାରାଜ କଂସଙ୍କ ରାଜୁତି । ମହାରାଜ କଂସ ନଗର ପରିଭ୍ରମଣରେ ବାହାରିବା ସହ ପ୍ରଜାଙ୍କ ଦୁଃଖ ସୁଖ ବୁଝିଛନ୍ତି । ଅନ୍ୟପଟେ ମା ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ସାରା ଅଂଚଳରେ ଏବେ ଦ୍ୱାପର ଯୁଗର ଅନୁଭୂତି । ଏଥିସହ ଦର୍ଶକଙ୍କ ମନୋରଂଜନ ପାଇଁ ରଂଗମହଲରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ।

ହାତୀ ଉପରେ ବସି ନଗର ପରିକ୍ରମାରେ ବାହାରିଛନ୍ତି ମହାରାଜ କଂସ । ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଦୋଷୀଙ୍କୁ ବି ସାଙ୍ଗେ ସାଙ୍ଗେ ଦେଉଛନ୍ତି ଦଣ୍ଡ । ମଥୁରା ନଗରୀରେ ଏବେ ଚାଲିଛି ମହାରାଜ କଂସଙ୍କ ଶାସନ । ସେପଟେ କାରାଗୃହ ଭିତରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ଲାଭ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ ।

କାରାଗାରର ଦ୍ୱାର ଆପେ ଆପେ ଖୋଲିଯିବା ପରେ ମଧ୍ୟରାତିରେ ନବଜାତ ଶିଶୁକୁ ଧରି ଗୋପରୁ ଅଭିମୁଖେ ବାହାରିଛନ୍ତି ବସୁଦେବ । ଏହି ସମୟରେ ରାସ୍ତା ଓଗାଳିଛନ୍ତି ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ । କିନ୍ତୁ ଭଗବାନଙ୍କୁ ଚତୁର୍ଧା ରୂପ ଦର୍ଶନ କରି ଉଗ୍ରସେନ ହୋଇଛନ୍ତି ଆତ୍ମ ବିଭୋର । ଯମୁନା ନଦୀ ପାର ହୋଇ ଗୋପପୁରରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବିଜୁଳିକନ୍ୟା ସହ ଫେରି ଆସିଛନ୍ତି ବସୁଦେବ । ଏ ସମସ୍ତ ଦୃଶ୍ୟ ଦେଖି ଅଭିଭୂତ ହୋଇଛନ୍ତି ଦର୍ଶକ ।

ମଥୁରାବାସୀଙ୍କ ମନୋରଂଜନ ପାଇଁ ଲୋକମଣ୍ଡପ ପଡ଼ିଆଠାରେ ଉଦଘାଟିତ ହୋଇଛି ରଂଗମହଲ  । ଏଠାରେ ମହାରାଜାଙ୍କ ନିର୍ଦ୍ଦେଶରେ ପ୍ରତିଦିନ ରାଜ୍ୟ ଓ ରାଜ୍ୟବାହାର କଳାରାପ ପ୍ରଦର୍ଶନ କରିବେ ସାଂସ୍କୃତିକ କାର୍ଯ୍ୟକ୍ରମ । ଏପଟେ ନିଜ ସୁରକ୍ଷା ପାଇଁ ଚାଣୁର ମୁଷ୍ଟିକଙ୍କୁ ଆବାହନ କରିଛନ୍ତି ମହାରାଜ କଂସ । ଏପଟେ ରଂଗମଂଚରେ ଆୟୋଜିତ ନୃତ୍ୟଗୀତରେ ଝୁମିଥିଲେ ଦର୍ଶକ ।

ଧନୁଯାତ୍ରା ଉତ୍ସବର ତୃତୀୟ ଦିନରେ ଗୋପପୁରରେ ନନ୍ଦୋତ୍ସବ ପାଳିତ ହେଉଛି । ଅନ୍ୟପଟେ ମହାରାଜ କଂସ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିବେ । ଏହା ପରେ  ବିଜୁଳି କନ୍ୟାର ଶୂନ୍ୟବାଣୀ ସହ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପୁତନା ରାକ୍ଷସୀକୁ ଗୋପପୁର ପ୍ରେରଣ କରିବା ଦୃଶ୍ୟ ଅଭିନୀତ ହେବ ।