ଜୀରା ନଦୀ ପୋଲ ଭୁଶୁଡିବା ଘଟଣାରେ ଜେଇ ଓ ଏସଡିଓ ଗିରଫ ! ତଦନ୍ତ ପାଇଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ

25

କନକ ବ୍ୟୁରୋ : ବରଗଡ଼ ବ୍ରିଜ ଭୁଷୁଡିବା ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ । ଏସଡିଓ କମଳକାନ୍ତ ତରିଆ ଓ ଜେଇ ମନୋରଞ୍ଜନ ମହାପାତ୍ରଙ୍କୁ ଗିରଫ କରିଛି ପୁଲିସ । ବରଗଡ଼ ଥାନାରେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି । ସେପଟେ ଗ୍ରାମ୍ୟଉନ୍ନୟନ ବିଭାଗର ଏକ ଟିମ ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଚିଂବା ପରେ ଉତ୍ତେଜନା ଦେଖାଦେଇଛି । ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ମୁଖ୍ୟଯନ୍ତ୍ରୀକୁ ଘେରିଛନ୍ତି ଲୋକେ । ଏସପି ଘଟଣା ସ୍ଥଳରେ ପହଚିଂ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଭରତ ପ୍ରଧାନ କହିଛନ୍ତି । ବହୁତ ପୂର୍ବରୁ ସେଂଟ୍ରି ଖୋଲାଯାଇଥିବା ଯୋଗୁଁ ଏପରି ଘଟିଥିବା କୁହାଯାଉଛି । ଯାହାକିଛି ହୋଇଛି ତାର ତଦନ୍ତ କରାଯିବା ସହ ଯେଉଁ ଠିକାଦାର ଏଥିରେ ସମ୍ପୃକ୍ତ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହାସହ ଶ୍ରମିକମାନେ କାମ କରିବାବେଳେ ଉପଯୁକ୍ତ ଗାଇଡଲାଇନରେ କାମ କରାଯାଉନଥିବାରୁ ମଧ୍ୟ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ମୁଖ୍ୟ ଯନ୍ତ୍ରୀ ଭରତ ପ୍ରଧାନ କହିଛନ୍ତି ।

ଅନ୍ୟପଟେ, ବରଗଡ଼ରେ ଜୀରା ସେତୁ ଭୁଶୁଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ୍ନ ସଚିବ ବିଷ୍ଣୁପଦ ସେଠୀ । ସେତୁ ନିର୍ମାଣରେ ହୋଇଥିବା ପ୍ରୋଟୋକଲ ପାଳନ ହୋଇନାହିଁ । ଏନେଇ ୩ ଜଣ ଇଂଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଠିକାଦାର କଳାତାଲିକା ଭୁକ୍ତ ହେବେ ବୋଲି ବିଭାଗୀୟ ସଚିବ କହିଛନ୍ତି । ଗତ ୧୮ ତାରିଖରେ ଏନେଇ ଗାଇଡଲାଇନ ଜାରି କରାଯାଇଥିଲା । ନିର୍ମାଣ ବେଳେ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହିବା କଥା । ଯନ୍ତ୍ରୀଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ କଘଟିଛି । ମୂଖ୍ୟଯନ୍ତ୍ରୀ ଘଟଣା ସ୍ଥଳରୁ ନୀରିକ୍ଷଣ କରି ଫେରିବା ପରେ ଚୂଡାନ୍ତ ରିପୋର୍ଟ ମିଳିବ ବୋଲି ବିଷ୍ଣୁପଦ ସେଠୀ କହିଛନ୍ତି ।