ଜମୁଛି ବରଗଡ ଧନୁଯାତ୍ରା ! ମଥୁରାରେ କୃଷ୍ଣ ବଳରାମ,ସେପଟେ ଗୋପପୁରରେ ବିଦାୟ ପରେ ଗୋପୀଙ୍କ ବିଳାପ

54

କନକ ବ୍ୟୁରୋ: ଗୋପପୁରରୁ ମେଲାଣି ନେଇ କୃଷ୍ଣବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୂର ମଥୁରାରେ ପହଞ୍ଚିଛନ୍ତି । ସେପଟେ କୃଷ୍ଣ ବଳରାମଙ୍କ ବିନା ଗୋପଦାଣ୍ଡ ଖାଁ ଖାଁ ଲାଗୁଛି । ବେନି ଭାଇଙ୍କୁ ଝୁରି ହେଉଛନ୍ତି ଗୋପାଳ ଗୋପାଙ୍ଗନା ମାନେ।

ସେପଟେ ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣବଳରାମ ମଥୁରା ଭ୍ରମଣ କରିଥିଲେ । ନଗର ଭ୍ରମଣ ସମୟରେ ମହାରାଜ କଂସଙ୍କ ରଜକକୁ କାନ୍ଧରେ ଉଜ୍ଜଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ । ମାତ୍ର ରଜକ ଏଥିରେ ରାଜି ହୋଇନଥିଲା । କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କ ଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ । ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ଵିତ ବାମ ହାତରେ ଏକ ଚାପୁଡ଼ା ମାରିବାରୁ ରଜକର ମୃତ୍ୟୁ ହୋଇଛି । ଏହାପରେ କୃଷ୍ଣ ଓ ଗୋପାଳମାନେ ଲୁଗା ପିନ୍ଧିଥିଲେ । ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦ୍ଗଦ୍ ହୋଇ ଉଠିଥିଲେ । ନଗର ପରିକ୍ରମା ବେଳେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା । ଶ୍ରୀକୃଷ୍ଣ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା ।

ଅପରପକ୍ଷରେ ଗତକାଲି ମଧ୍ୟ ମହରାଜ କଂସ ମଥୁରାନଗର ପରିକ୍ରମା କରିବା ସହିତ ଦିଗବିଜୟରେ ବାହାରିଥିଲେ । କୃଷ୍ଣବଳରାମଙ୍କୁ ମଥୁରାରେ ଘରେ ଘରେ ପୂଜାର୍ଚ୍ଚନା କରାଯାଉଥିବା ସୂଚନା ପାଇ ମହରାଜ କ୍ରୋଧାନ୍ଵିତ ହୋଇଛନ୍ତି । ଧନୁଯାତ୍ରା ଆୟୋଜନର ତାଙ୍କର ଅସଲ ଉଦ୍ଦେଶ୍ୟ ସାଧିତ ହେବାକୁ ଯାଉଛି ବୋଲି ମଧ୍ୟ ମହାରାଜ ଆନନ୍ଦିତ ହୋଇଛନ୍ତି । ହେଲେ ମନରେ ଭୟର ରାଜୁତି । ବେଳେ ବେଳେ ତାଙ୍କର ତନୁମନ ଦୁର୍ବଳ ହୋଇଯାଉଛି । ମାତ୍ର ଉପସ୍ଥିତ ପାତ୍ରମନ୍ତ୍ରୀ ଦମ୍ଭ ଦେବାରୁ ମହାରାଜ ପୁଣି ଗର୍ଜି ଉଠିଛନ୍ତି । ହାଲୁକା କରିବା ସକାଶେ ଆୟୋଜିତ ହୋଇଛି ନୃତ୍ୟ ଗୀତର ଆସର ।