ଚର୍ଚ୍ଚାରେ ଓବାମାଙ୍କ ପ୍ରେମକାହାଣୀ: ପତ୍ନୀ ମିଚେଲଙ୍କ ଜନ୍ମଦିନରେ ଶେୟାର୍ କଲେ ନିର୍ବନ୍ଧ ପରର ପୁରୁଣା ଫଟୋ, କହିଲେ କିଛି ଏଭଳି..

ସୋସିଆଲ୍ ମିଡ଼ିଆରେ ପ୍ରଶଂସା, ସେପଟେ ମିଚେଲ୍ ଦେଲେ ଧନ୍ୟବାଦ

203

କନକ ବ୍ୟୁରୋ: ଚର୍ଚ୍ଚାରେ ବାରାକ୍ ଓବାମାଙ୍କ ପ୍ରେମକାହାଣୀ  । ଏକଦା ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କୁହାଯାଉଥିବା ବାରାକ୍ ଓବାମାଙ୍କ ଲଭଷ୍ଟୋରୀର ପୁଣିଏକ ଝଲକ୍ ଦେଖିବାକୁ ମିଳିଛି  । ପ୍ରେମିକାରୁ ପତ୍ନୀ ସାଜିଥିବା ମିଚେଲଙ୍କ ଜନ୍ମଦିନରେ ଓବାମା ଦୁହିଁଙ୍କର ଏକ ପୁରୁଣା ଫଟୋକୁ ସୋସିଆଲ୍ ମିଡ଼ିଆରେ ସେୟାରକରି ବାର୍ଥଡେ ୱିଶ୍ ଜଣାଇଛନ୍ତି  । ଆଉ ପୂର୍ବ ଆମେରିକା ରାଷ୍ଟ୍ରପତିଙ୍କ ଏହି ଫଟୋକୁ ୟୁଜର୍ ବେଶ ପସନ୍ଦ କରିଛନ୍ତି  ।

ଆମେରିକା ରାଷ୍ଟ୍ରପତି ପଦରେ ନଥାଇ ବି ପୁଣିଥରେ ଚର୍ଚ୍ଚାରେ ବାରାକ୍ ଓବାମା  । ପତ୍ନୀଙ୍କ ଜନ୍ମ ଦିନରେ ଏକ ପୁରୁଣା ଫଟୋ ଟ୍ୱିଟ୍ କରି ଚର୍ଚ୍ଚାର ପରିସରକୁ ପୁଣି ଚାଲିଆସିଛନ୍ତି ଆମେରିକାର ଏହି ପୂର୍ବ ରାଷ୍ଟ୍ରପତି  । ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ଦୁଇ ଦୁଇ ଥର ରାଷ୍ଟ୍ରପତି ପଦରେ ରହିଥିବା ବାରାକ୍ ଓବାମା ସାର୍ବଜନୀନ ଭାବେ ଅତୀତରେ ଅନେକ ଥର ପତ୍ନୀଙ୍କ ପ୍ରତି ପ୍ରେମ ଜାହିର କରିଛନ୍ତି  । ଆଉ ବର୍ତମାନ ସମୟରେ ୯୦ ଦଶକରେ ଦୁହିଁଙ୍କ ନିର୍ବନ୍ଧ ପରେ ଉଠାଯାଇଥିବା ଏହି ଫଟୋ ଟ୍ୱିଟର୍ ଓ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କର ଲକ୍ଷ ଲକ୍ଷ ଲାଇକ୍ ଓ କମେଂଟ୍ସ ସାଉଁଟିବାରେ ସଫଳ ହୋଇଛି  ।

– ଟ୍ୱିଟ୍ ସହ ଓବାମା ଲେଖିଛନ୍ତି ..

ସେତେବେଳେ ମଧ୍ୟ ମୁଁ ନିଶ୍ଚିତ ଥିଲି ଆଉ ଆଜି ସମ୍ପୂର୍ଣ୍ଣ ଆଶ୍ୱସ୍ତ ଯେ ତମ ପରି ତମେ କେବଳ ଜଣେ ହିଁ ମିଚେଲ୍ ଓବାମା ଏହି ପୃଥିବୀରେ  । ଜନ୍ମଦିନର ଶୁଭକାମନା  ।

– ସେପଟେ ଏହାର ଜବାବ୍ରେ ମିଚେଲ୍ ଲେଖିଛନ୍ତି ..

ଜନ୍ମଦିନରେ ଏତେ ଭଲପାଇବା ଦେଇଥିବାରୁ ସମସ୍ତଙ୍କୁ ମୋର ଧନ୍ୟବାଦ  । ଆପଣ ସମସ୍ତଙ୍କୁ ମୋ’ ତରଫରୁ ଅନେକ ଭଲପାଇବା  । ଗତ ୫୫ ବର୍ଷ ମଧ୍ୟରେ ଯାହା ହେଲା ତାହା କଳ୍ପନାର ବାହାରେ ଥିଲା  । ଖାସ୍ କରି ଜୀବନସାଥୀ, ଦୁଇ ଝିଅ ଓ ଦକ୍ଷିଣ ଭାଗ ଜଡ଼ିତ ମୋ’ ମୁଳ ପାଇଁ ମୁଁ କୃତଜ୍ଞ  । ଆଗକୁ କଣ ହେବ ତାହା ଦେଖିବାକୁ ଆଉ ଅପେକ୍ଷା କରିପାରିବି ନାହିଁ  ।

୮୦ ଦଶକର ସମୟ । ସ୍ଥାନ – ଚିକାଗୋର ଏକ ଲ’ ଫାର୍ମ। ପରସ୍ପରକୁ ଭେଟନ୍ତି ବାରାକ୍ ଓବାମା ଓ ମିଚେଲ୍  । ଏକାଠି କାମ କରିବା ଭିତରେ ଓବାମା ଅନେକ ଥର ପ୍ରପୋଜ୍ କରନ୍ତି ମିଚେଲ୍ଙ୍କୁ  । ତେବେ ପ୍ରତିଥର ଓବାମାଙ୍କୁ ମନା କରନ୍ତି ମିଚେଲ୍  । ତଥାପି ନିଜ ପ୍ରେମ ପାଇବାକୁ ପ୍ରେମିକାଙ୍କ ହଁର ଅପେକ୍ଷା କରନ୍ତି ଓବାମା  । ସମୟ ଆଗକୁ ବଢ଼ିବା ମଧ୍ୟରେ ଦୁହିଁଙ୍କ ସମ୍ପର୍କ କ୍ରମେ ଘନିଷ୍ଠ ହୁଏ ଓ ବିବାହ ପାଇଁ ରାଜି ହୁଅନ୍ତି ମିଚେଲ୍  । ୧୯୯୨ ମସିହାରେ ପରସ୍ପରର ହାତ ଧରନ୍ତି ମିଚେଲ୍ ଓ ବାରାକ୍  । ଆଜି ଦୁହିଁଙ୍କ ପ୍ରେମକାହାଣୀକୁ ଅନେକ ବର୍ଷ ବିତିଯାଇଛି କିନ୍ତୁ ଏହି ସମ୍ପର୍କ ପୂର୍ବଠୁ ବି ଯେ ମଧୁର ଓ ମଜବୁତ୍ ଅଛି ମିଚେଲଙ୍କ ଜନ୍ମଦିନରେ ଓବାମା ଦେଇଛନ୍ତି ପ୍ରମାଣ  ।