ବାଙ୍କିବାସୀଙ୍କୁ ବନ୍ୟା କରୁଛି କଲବଲ ! ଘରେ ପଶିଛି ପାଣି, ଭୋକଉପାସରେ ଲୋକେ

185
କନକ ବ୍ୟୁରୋ  : ହୀରାକୁଦ ଗେଟ୍ ଖୋଲିବା ଫଳରେ ଉଛୁଳୁଛି ମହାନଦୀ । ଏହାସହ ମହାନଦୀର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା, ପିପିଲି ଏବଂ ବାଙ୍କୀରେ ଘରେ ପାଣି ପଶି ଯାଇଛି । ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।
ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ବାଙ୍କି ଅଂଚଳର ବିଭିନ୍ନ ଗାଁରେ ମହାନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ବନ୍ୟା ଜଳ ଆସିବା ଫଳରେ ବାଙ୍କିରେ ସ୍ଥିତି ସଙ୍ଗୀନ ହୋଇଛି । ବାଙ୍କିର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତର ୧୫ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।
ଏପରିକି ତଳିଆ ଅଂଚଳରେ ଥିବା ବହୁ ଘର ଭିତରେ ପାଣି ପଶିଯାଇଛି । ବନ୍ୟା ପାଣି ମାଡୁଥିବାରୁ ଲୋକମାନେ ଭୟରେ ନିଜର ଅତ୍ୟାବଶ୍ୟକୀୟ ଜିନିଷ ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ତେବେ ପାଣି ପଶିଥିବା ବିଭିନ୍ନ ଗାଁରେ ପ୍ରଶାସନ ନପହଁଚି ଥିବାରୁ ଏହାକୁ ନେଇ ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.