ବିମୁଦ୍ରାକରଣର ପ୍ରଭାବ ! ବନ୍ଦ ହେଲା ଶତାଧିକ ଏଟିଏମ

25

କନକ ବ୍ୟୁରୋ: ଭାରତରେ ବ୍ୟାଙ୍କ ଗୁଡ଼ିକ ଏଟିଏମ୍ ସଂଖ୍ୟା ହ୍ରାସ କରୁଛନ୍ତି । ଚଳିତବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ଦେଶରେ ୩୫୮ଟି ଏଟିଏମକୁ ବନ୍ଦ କରାଯାଇଛି । ମୋଟ ଏଟିଏମର ଏହା ମାତ୍ର ୦.୧୬ ପ୍ରତିଶତ ହେଲେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ଗତବର୍ଷ ଏଟିଏମ୍ ସଂଖ୍ୟା ୩.୬ ହାରରେ ବୃଦ୍ଧି ଘଟିଥିଲା ।

ଏହା ପୂର୍ବ ୪ ବର୍ଷରେ ଦେଶରେ ଏଟିଏମ୍ ସଂଖ୍ୟା ୧୬.୪ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବୃଦ୍ଧି ଘଟୁଥିଲା । କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ଏଟିଏମ୍ ସଂଖ୍ୟା ହ୍ରାସ ଘଟିଛି । ବିମୁଦ୍ରାକରଣର ପ୍ରଭାବ ସମେତ ଏଟିଏମ୍ ପରିଚାଳନା ଖର୍ଚ ବୃଦ୍ଧି ଯୋଗୁଁ ଏଟିଏମ୍ ସଂଖ୍ୟା ହ୍ରାସ ଘଟିଥିବା କୁହାଯାଉଛି । ଦେଶରେ ସବୁଠୁ ଅଧିକ ସଂଖ୍ୟକ ଏଟିଏମ୍ ସ୍ଥାପନ କରିଥିବା ଏସବିଆଇର ଏଟିଏମ୍ ସଂଖ୍ୟା ଚଳିତବର୍ଷ ଜୁନରେ ୫୯,୨୯୧ରେ ରହିଥିବାବେଳେ ଅଗଷ୍ଟରେ ଏହି ସଂଖ୍ୟା ୫୯,୨୦୦କୁ ହ୍ରାସ ପାଇଛି ।

ସେହିଭଳି ପିଏନବିର ଏଟିଏମ୍ ସଂଖ୍ୟା ଏହି ସମୟ ମଧ୍ୟରେ ୧୦,୫୦୨ରୁ ୧୦,୦୮୩କୁ, ଏଚଡିଏଫସି ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୧୨,୨୩୦ରୁ ୧୨,୨୨୫କୁ ଖସିଆସିଛି । ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହରରେ ଏଟିଏମ୍ ଭଡ଼ା, ନିରାପତ୍ତା ରକ୍ଷୀ ନିଯୁକ୍ତି, ରକ୍ଷଣାବେକ୍ଷଣ ଖର୍ଚ, ବିଦ୍ୟୁତ ବିଲ୍ ଆଦି ବାବଦରେ ବ୍ୟାଙ୍କ ଗୁଡ଼ିକୁ ମାସିକ ୩୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ ବହନ କରିବାକୁ ପଡ଼ୁଛି ।