କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ! ଅବତରଣ ସମୟରେ ଜଳିଗଲା ୟୁଏସ ବାଙ୍ଗଲା ଏୟାରଲାଇନ୍ସ ବିମାନ, ୫୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ

39

ଆଜି ନେପାଳର ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବାଂଲାଦେଶ ରାଜଧାନୀ ଢାକାରୁ ଆସୁଥିବା ୟୁଏସ-ବାଂଲା ଏୟାରଲାଇନ୍ସ ବିମାନଟି ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି, ରନୱେରୁ ଆଗକୁ ବଢିଯାଇ ଖେଳ ପଡିଆ ଆଡକୁ ମାଡିଯିବା ଫଳରେ ଏହି ଯାତ୍ରୀବାହୀ ବିମାନ ନିୟନ୍ତ୍ରଣ ହରାଇଥିଲା । ଆଉ ଏହା ପରେ ପରେ ଏଥିରେ ନିଆଁ ଲାଗିଗଲା । ବେଶ୍ ଦୂର ପର୍ଯ୍ୟନ୍ତ କଳା ଧୁଆଁର ଆବରଣ ଜମିଯାଇଥିଲା । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏବେ ବି ୯ ଜଣଙ୍କ ପତା ମିଳୁନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି ।

ଫୁଟବଲ ପଡିଆରେ ହୁତୁହୁତୁ ହୋଇ ଜଳିଲା ବିମାନ । କେହି କିଛି ଅନୁମାନ ପୂର୍ବରୁ ଏକ ଭୟଙ୍କର ଶବ୍ଦରେ ଫାଟିପଡିଲା ପୁରା ଅଞ୍ଚଳ । ବିମାନରେ ଥିଲେ ୬୭ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବର । କିନ୍ତୁ ବିମାନ ଜଳିବା ପରେ ବିମାନରେ ଥିବା ଯାତ୍ରୀମାନଙ୍କ ସହ କ’ଣ ବିତିଥିବ । କାରଣ ରନୱେରେ ଅବତରଣ କରିବା ସମୟରେ ବିମାନଟି ହଠାତ ବାଟବଣା ହୋଇଗଲା । ହ୍ୟାଙ୍ଗର ଅର୍ଥାତ ବିମାନ ରହଣୀସ୍ଥଳରେ ପହଂଚିବା ଆଗରୁ ସିଧା ଚାଲିଗଲା ଏକ ଖେଳ ପଡିଆ ଭିତରକୁ । ଆଉ ତା ପରର ଚିତ୍ର ଥିଲା ହୃଦୟବିଦାରକ । ଆଜି ଅପରାହ୍ନରେ ନେପାଳର ରାଜଧାନୀ କାଠମାଣ୍ଡୁରେ ଘଟିଛି ଏହି ଭୟାବହ ବିମାନ ଦୁର୍ଘଟଣା ।

ଆମେରିକା-ବାଂଲା ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ଢାକାରୁ ନେପାଳର କାଠମାଣ୍ଡୁ ଅଭିମୁଖେ ଉଡାଣ ଭରିଥିଲା । ଏବଂ ଦିନ ପ୍ରାୟ ୨ଟା ୨୦ ମିନିଟରେ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦର ରନୱେରେ ଅବତରଣ କରି ହ୍ୟାଙ୍ଗରରେ ପହଂଚିବା ଆଗରୁ ସିଧା ଚାଲିଯାଇଥିଲା ସାମ୍ନାରେ ଥିବା ଏକ ଖେଳ ପଡିଆ ଭିତରକୁ । ଚାହୁଁଚାହୁଁ ରନୱେର ପଶ୍ଚିମ ଭାଗରେ ଥିବା ଏହି ଇଲାକାରୁ ଆକାଶକୁ ଉଠିଥିଲା ନିଆଁ ଓ ମୋଟା କଳା ଧୁଆଁ ।

ସ୍ଥାନୀୟ ଗଣମାଧମର ସୂଚନା ଅନୁସାରେ ଏସ-୨-ଏଜିୟୁ ବିମାନରେ ୬୭ଜଣ ଯାତ୍ରୀ ଓ ୪ଜଣ ବିମାନ କର୍ମଚାରୀ ଥିଲେ । ଦୁର୍ଘଟଣା ପରେ ବିମାନ ବନ୍ଦରକୁ ସିଲ କରି ଯୁଦ୍ଧକାଳୀନ ଭିତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଏହି ରୁଟ ଦେଇ ଅନ୍ୟ ବିମାନଗୁଡିକର ଚଳାଚଳକୁ ବାତିଲ କରି ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ବିମାନ ବନ୍ଦର କର୍ତୃପକ୍ଷଙ୍କ ସହ ସ୍ଥାନୀୟ ପୋଲିସ ଓ ସେନା । ନିଆଁକୁ ଆୟତ କରିବା ପାଇଁ ପହଂଚିଥିଲା ଦମକଳ ଗାଡି । ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।

– ବିଗତ ଦିନ ମାନଙ୍କରେ କାଠମାଣ୍ଡୁ ବିମାନବନ୍ଦରରେ ବାରମ୍ବାର ଘଟିଛି ଦୁର୍ଘଟଣା
– ଏଥିପାଇଁ ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦର ବଦନାମ ହୋଇଛି
– ଅନଭିଜ୍ଞ ପାଇଲଟ, ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନାକୁ ନେଇ ସମାଲୋଚିତ
– ୨୦୧୬ରେ ଏକ ପାହାଡରେ ବିମାନ ପିଟିହେବାରୁ ୨୩ଜଣଙ୍କ ମୃତ୍ୟୁ ହୋଇଥିଲା
– ୧୯୯୨ରେ ଥାଇ ଏୟାର ୱେଜ ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା