ପୀଡା ଦେଉଛି ପିଆଜ ! ବାଙ୍ଗଲାଦେଶରେ ପିଆଜ କିଲୋ ୨୬୦ , ବିମାନ ଯୋଗେ ଆମଦାନୀ ହେଉଛି ପିଆଜ ।

421

ଖାଲି ଭାରତକୁ ନୁହଁ ବାଙ୍ଗଲାଦେଶକୁ ମଧ୍ୟ ପୀଡାରେ ପକାଇଛି ପିଆଜ । ବାଙ୍ଗଲାଦେଶରେ ପିଆଜ ଦର ଆକାଶ ଛୁଆଁ । ୩୦ ରେ ବିିକ୍ରି ହେଉଥିବା ପିଆଜ ଆଜି ପ୍ରତି କିଲୋ ୨୬୦ ଟଙ୍କାରେ ପହଁଚିଛି । ସ୍ଥିତି ଏପରି ହୋଇପଡିଛି କି, ବାଙ୍ଗଲାଦେଶ ସରକାରଙ୍କୁ ବିମାନ ଜରିଆରେ ପିଆଜ ଆମଦାନୀ କରିବାକୁ ପଡୁଛି । ଏକ ଇଭେଣ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଏହି କଥାକୁ ସ୍ୱୀକାର କରିଛନ୍ତି । ପିଆଜ ଦର ବୃଦ୍ଧି ହେବା ପରେ ଲୋକେ ପିଆଜ ବ୍ୟବହାର କମ୍ କରି ଦେଇଥିବା ସେ କହିଛନ୍ତି । ବାଙ୍ଗଲାଦେଶରେ ପିଆଜ ଦର ଆକାଶ ଛୁଆଁ ହେବା ପଛର ମୁଖ୍ୟ କାରଣ ପାଲଟିଛି ଭାରତ । କାରଣ ଭାରତରେ ପିଆଜ ଦରରେ ବୃଦ୍ଧି ହେବା ପରେ ସେପ୍ଟେମ୍ବର ମାସ ଠାରୁ ଏହାର ରପ୍ତାନୀ ବନ୍ଦ କରିଦେଇଛି । ମୌସୁମୀ ବର୍ଷା ହେବା ଦ୍ୱାରା ଭାରତରେ ପିଆଜ ଫସଲ ପୁରାପୁରି ନଷ୍ଟ ହୋଇପଡିଛି । ଯାହା ଫଳରେ ପିଆଜ ବ୍ୟାପାରରେ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ବାଙ୍ଗଲାଦେଶ ତୁଳନାରେ ଭାରତରେ ପିଆଜ ଦର କମ୍ ରହିଛି ।

ଢାକାରେ ଦର ବୃଦ୍ଧିକୁ ନେଇ ଲୋକ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି । ଏହାକୁ ଦେଖି ମିୟାମାର, ତୁର୍କୀ, ଚୀନ ଓ ମିସରରୁ ପିଆଜ ଆମଦାନୀ କରାଯାଉଛି । ସେଠାରେ ଲୋକଙ୍କୁ ଶାନ୍ତ କରିବା ପାଇଁ ସରକାରୀ ସଂସ୍ଥା ଟ୍ରେଣ୍ଡିଙ୍ଗ କର୍ପୋରେସନ ଅଫ୍ ବାଙ୍ଗଲାଦେଶ(ଟିସୀବୀ) ଢାକାଠାରେ ପିଆଜ କିଲୋ ପ୍ରତି ୪୫ ଟଙ୍କାରେ ଯୋଗାଇ ଦିଆଯାଉଛି । ସବସିଡି ଦରରେ ପିଆଜ କିଣିବା ପାଇଁ ଲୋକଙ୍କୁ  କେତେ ଘଣ୍ଟା ଧାଡିରେ ରହିବାକୁ ପଡୁଛି । ବାଙ୍ଗଲାଦେଶର ପ୍ରମୁଖ ବିରୋଧୀ ଦଳ ସୋମବାର ଦିନ ପିଆଜ ଦର ବିରୁଦ୍ଧରେ ଦେଶବ୍ୟାପି ବିକ୍ଷୋପ ପ୍ରଦର୍ଶନ କରିବା ପାଇଁ ଡାକରା ଦେଇଛନ୍ତି । ବିରୋଧୀ ଦଳର କହିବା ମୁତାବକ, ସରକାରଙ୍କ ଭୁଲ ନୀତି ଫଳରେ ଦେଶରେ ଖାଦ୍ୟସାମଗ୍ରୀର ଦର ବୃଦ୍ଧି ପାଉଛି ।