ଶନିବାର ଉତ୍ତର କଶ୍ମୀରର ବାନ୍ଦିପୁରା ଜିଲ୍ଲା ଅନ୍ତର୍ଗତ ଚନ୍ଦେରଗୀର ଗାଁରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ, ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ବାୟୁସେନାର ଜଣେ ଗରୁଡ଼ କମାଣ୍ଡୋ ସହିଦ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଜାକିର ରେହମାନ୍ ଲଖଭିର ପୁତୁରା ରହିଥିବା ରହିଥିବା ଜଣାଯାଇଛି। ଶୁକ୍ରବାର ଜାକୁରାରେ ଅଜଣା ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ ଅଧିକାରୀ ସହିଦ ହେବା ପରେ ଆଜିର ଘଟଣା ସୁରକ୍ଷା କର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Advertisment

xindian-armyଚନ୍ଦେରଗୀର ଗାଁରେ କିଛି ଆତଙ୍କବାଦୀ ଛପି ରହିଥିବା ଗୁଇନ୍ଦା ସୂଚନା ପାଇ ସୁରକ୍ଷା କର୍ମୀମାନେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ପରେ ଯବାନମାନେ ତଲାସ ଆରମ୍ଭ କରିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଗରୁଡ଼ କମାଣ୍ଡୋ ସହିଦ ହୋଇଥିବା ବେଳେ ଯବାନଙ୍କ ଗୁଳିରେ ଲଖଭିର ପୁତୁରା ସମେତ ୬ ଜଣ ଆତଙ୍କବାଦୀ ଟଳିପଡ଼ିଥିଲେ। ନିହତ ଅନ୍ୟ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ବେଳେ ଏହି ଗୁଳି ବିନିମୟରେ ଅନ୍ୟ ଜଣେ ଗରୁଡ଼ କମାଣ୍ଡୋ ଆହତ ହୋଇଥିବା ଜଣାଯାଇଛି। ତେବେ ସମସ୍ତ ଆତଙ୍କବାଦୀ ଲସ୍କର-ଇ-ତୋଇବାର ବୋଲି ଜଣାପଡିଛି ।

ଗତ କିଛି ଦିନ ଧରି ସୀମାରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ଓ ପୋଲିସ ମିଳିତ ଭାବେ ଅପରେସନ ଅଲଆଉଟ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନୁଯାୟୀ, ଆତଙ୍କବାଦୀଙ୍କ ଏକ ଲିଷ୍ଟ ପ୍ରସ୍ତୁତ କରି ଏମାନଙ୍କୁ ଖୋଜି ଖୋଜି ମୃତ୍ୟୁର ବାଟ ଦେଖାଉଛନ୍ତି ଭାରତୀୟ ସେନା । ଏହାପୂର୍ବରୁ ଭାରତୀୟ ସେନାର ଗୁଳିରେ ଲଖଭିର ଅନ୍ୟ ଏକ ପୁତୁରା ତଥା ଲସ୍କର-ଇ-ତୋଇବାର ଟପ୍ କମାଣ୍ଡର ଅବୁ ମୁସେବ ପ୍ରାଣ ହରାଇଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେନା ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ଅଲଆଉଟ ଅଭିଯାନରେ ଏପର୍ଯ୍ୟନ୍ତ ୧୭୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇ ସାରିଲେଣି ।