ଗୃହ ଭିତରେ ‘କଦଳୀ’ ଚାଷ ! ବିଧାନସଭାରେ ‘କଦଳୀ’ ଚିନ୍ତା କଲେ ବିଧାୟକ । ପଡୋଶୀ ରାଜ୍ୟ ଉପରେ ଭରସା ନକରି ସ୍ୱାବଲମ୍ବୀ ହେବ କି ଓଡ଼ିଶା ? ଉତ୍ତର ରଖିଲେ କୃଷିମନ୍ତ୍ରୀ

214

କନକ ବ୍ୟୁରୋ: ବିଧାନସଭାରେ ‘କଦଳୀ’ ଚାଷ । ଗୃହରେ ଉଠିଲା କଦଳୀ ଚାଷ ପ୍ରସଙ୍ଗ । ଓଡିଶା ବିଧାନସଭାରେ କଦଳୀ ଚିନ୍ତା । କଦଳୀ ପାଇଁ ଓଡିଶା ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଥବାେଳେ ଓଡିଶାର ଚାଷୀଙ୍କୁ କିଭଳି ପ୍ରୋତ୍ସାହିତ କରାଯାଇପାରିବ ସେ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଆଉ କହିଛନ୍ତି, କଦଳୀ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ହେକ୍ଟର ପିଛା ପ୍ରାୟ ୪୧ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ସେହିପରି ପଶ୍ଚିମ ଓଡିଶାରେ କଦଳୀ ଚାଷକୁ ପ୍ରାଧାନ୍ୟ ଦିଆଯାଇଛି ।

କଦଳୀ ପାଇଁ ଯେତେବେଳେ ଆମେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍କାନା ସହ ମହାରାଷ୍ଟ୍ରର ଭୁଶାବଲ ଉପରେ ନିର୍ଭରଶୀଳ, ଠିକ୍ ସେତିକି ବେଳେ ଆତ୍ମନିର୍ଭରଶୀଳ ହେବା ନେଇ ବିଧାନସଭାର ସରଗରମ ଚର୍ଚ୍ଚା ହୋଇଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ କୃଷି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ- ଓଡ଼ିଶାରେ ବାର୍ଷିକ କେତେ ପରିମାଣର କଦଳୀ ଆବଶ୍ୟକ ରହିଛି ଏବଂ ରାଜ୍ୟରେ କେତେ ପରିମାଣର ଅମଳ ହେଉଛି । କଦଳୀ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ କେଉଁ ସବୁ ପଦକ୍ଷେପ ନିଆଯାଇଛି । ଅନୁରୁପ ଭାବରେ ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ପ୍ରସଙ୍ଗ ଉତଥାପନ କରିଥିଲେ ।

ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଗୃହରେ ସୂଚନା ଦେଇଥିଲେ-

-ଓଡ଼ିଶାରେ ୨୨ ହଜାର ହେକ୍ଟର ଜମିରେ କଦଳୀ ଚାଷ ହେଉଛି
-ରାଜ୍ୟରେ ୪ ଲକ୍ଷ ୮ ହଜାର ମେଟ୍ରିକ୍ ଟନ୍ ବାର୍ଷିକ ଉତ୍ପାଦନ ହେଉଛି
-ପାଚିଲା କଦଳୀ ପାଇଁ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି
-କଦଳୀ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଚାଷୀଙ୍କୁ ହେକ୍ଟର ପିଛା ୪୦, ୯୮୫ ଟଙ୍କା ସହାୟତା ଦିଆଯାଉଛି
– ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଜିଲ୍ଲାରେ କଦଳୀ ଚାଷକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ।

ତେବେ କଦଳୀ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆଉ କେତେ ବର୍ଷ ଲାଗୁଛି ତାହା ଦେଖିବାକୁ ରହିଲା ।