ଦୀପୁଙ୍କ ମୁହଁରେ ଫୁଟିଲା ହସ । ସହାୟତାର ହାତ ବଢ଼ାଇଲେ ସାମାଜିକ ସଂଗଠନ । ଦୀପୁଙ୍କ କାହାଣୀକୁ ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ସାମିଲ କରିବା ପରେ ଆଗେଇ ଆସିଲେ ସହୃଦୟ ବ୍ୟକ୍ତି ।

264

କନକ ବ୍ୟୁରୋ : କନକ ନ୍ୟୁଜର ସ୍ୱତନ୍ତ୍ର ଅଭିଯାନ-ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ଦିନକୁ ଦିନ ସାମିଲ ହେଉଛନ୍ତି ଅନେକ ସଂଗଠନ ଏବଂ ବ୍ୟକ୍ତି । ସେମାନଙ୍କର ସହଯୋଗକୁ କେବଳ ଆମେ ନୁହେଁ ସାରା ଓଡ଼ିଶାରୁ ସ୍ୱାଗତ କରାଯାଉଛି । ଏହି କ୍ରମରେ ଆଜି ଆପଣଙ୍କ ସାମ୍ନାରେ ରଖିବୁ ଏକ କାହାଣୀ । ଯାହା ଜାଣିଲେ, ହୁଏତ ଆପଣ ବି ଭାବିବେ ବାଣ ନୁହେଁ, ଏଥର ହସ ଫୁଟେଇବୁ ।

ନାଁ : ଦୀପୁ ସାହୁ । ବୟସ: ମାତ୍ର ୯ବର୍ଷ । ଅଭାବ ଅନାଟନ ପରିବାର ଭିତରେ ଦୀପୁର ଜନ୍ମ । ବାପା କେବେଠୁ ସମସ୍ତଙ୍କୁ ଛାଡି ଘରୁ ଚାଲି ଯାଇଛନ୍ତି । ଭାଇ ଭଉଣୀ ମିଶି ୫ଜଣ ପରିବାର । ମା’ ମୁଲ ଲାଗି ପରିବାର ଚଳାନ୍ତି । ଦୁଃଖକଷ୍ଟରେ ହେଉ ପଛେ ସବୁ କିଛି ଠିକ୍ଠାକ୍ ଚାଲିଥିଲା । ହେଲେ ଦୀପୁ ଷଷ୍ଠଶ୍ରେଣୀରେ ପାଠ ପଢୁଥିବା ବେଳେ ଘଟିଗଲା ଏକ ଦୁଃଖଦ ଘଟଣା । ସ୍କୁଲ ଯାଇଥିଲେ ଦୀପୁ, ଆଉ ସ୍କୁଲରୁ ଫେରିବା ବାଟରେ ଦୀପୁଙ୍କୁ ବୁଲା ଷଣ୍ଡ ଆକ୍ରମଣ କରିଦେଲା । ରାସ୍ତାରେ ପଡି ଛଟପଟ ହେଉଥିବା ଦୀପୁ ପାଖରେ ପହଁଚିଥିଲେ ଚିନ୍ତାମଣିଶ୍ୱର ଅଚଂଳର ଜଣେ ଆଇନଜୀବୀ ଛାତ୍ର ଦେବାଶିଷ ଜେନା । ଆଉ ରାତି ଅଧରେ ଚିକିତ୍ସା କରାଇ ଘରେ ଛାଡ଼ିଥିଲେ ।

ହେଲେ ସେହି ଦିନଠାରୁ ଯେମିତି ଏହି ପରିବାର ପ୍ରତି ଯେମିତି ଦଇବ ସାଧିଲା ଦାଉ । ଗୋଡ଼ରେ ଇନଫେକ୍ସନ୍ ବଢ଼ିବାରେ ଲାଗିଲା, ହେଲେ ଚିକିତ୍ସା କରିବା ପାଇଁ ପାଖରେ ଅର୍ଥ ନଥିଲା । ଆଉ ଏବେ ଆମ ଅଭିଯାନ ସହ ଯୋଡ଼ି ସ୍ମାଇଲ ସଂଗଠନ ଏବଂ ହାଲୋ କ୍ୟାବର ଅଧ୍ୟକ୍ଷ ତ୍ୂପ୍ତି ଦାଶ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ।ସେପଟେ ଦୀପୁର ଏମିତି ଅବସ୍ଥା ପାଇଁ ତାଙ୍କ ମାଙ୍କ ଆଖିରୁ ନିଦ ହଜିଯାଇଛି । କୋହଭରା କଣ୍ଠରେ କାନ୍ଦି କାନ୍ଦି ଧନ୍ୟବାଦ ଦେଇଛନ୍ତି ତାଙ୍କ ପୁଅକୁ ଚିକିତ୍ସା ଯୋଗାଇ ଦେଇଥିବା ଏହି ସହୃଦୟ ବ୍ୟକ୍ତିମାନଙ୍କୁ ।

ତୂଣରୁ ଦ୍ରୁମ ପାଲଟିଥିବା ଆମର ଏହି ଅଭିଯାନରେ ଅନେକ ଅସହାୟ ପରିବାର ମୁହଁରେ ହସ ଫୁଟିଛି । ଆଉ ଅନେକ ପରିବାର ଆଜି ବି ଅପେକ୍ଷା କରିଛନ୍ତି ଆପଣ ମାନଙ୍କୁ । ଚାଲନ୍ତୁ ଏଥର ଦୀପାବଳୀ ପାଳିବା ସେହି ପରିବାରଙ୍କ ସହିତ ।