ବାନା ବାବାଙ୍କ ଆଶ୍ରମରେ ୪ ଦିନ ହେବ ଜବରଦଖଲ ଉଚ୍ଛେଦ ଜାରି

26

କୋଣାର୍କ : ୪ ଦିନ ହେବ କଳକୀ ଆଶ୍ରମକୁ ମାଟିରେ ମିଶାଇବାରେ ଲାଗିଛି ପ୍ରଶାସନ ବୁଲଡୋଜର । ଆଜି ଚତୁର୍ଥ ଦିନରେ ମଧ୍ୟ ଜବରଦଖଲ ଉଚ୍ଛେଦ ଜାରି ରହିଛି । ପ୍ରଶାସନର ୩ଟି ବୁଲଡୋଜର ବାନା ବାବାଙ୍କ ଆଶ୍ରମର ମୁଖ୍ୟ କୋଠା ଭାଙ୍ଗିବାରେ ଲାଗିଛି । କଳକୀ ଆଶ୍ରମର ଯଜ୍ଞମଣ୍ଡପ, ଯୋଗଗୃହ ଓ ଜଳକ୍ରୀଡା କେନ୍ଦ୍ରକୁ ମାଟିରେ ମିଶାଇଥିବା ପ୍ରଶାସନକୁ ମୁଖ୍ୟ କୋଠା ଭାଙ୍ଗିବା ପାଇଁ ନାକେଦମ୍ ହେବାକୁ ପଡିଛି । ଗତକାଲି ଠାରୁ ମୁଖ୍ୟକୋଠାର ଭଙ୍ଗା କାମ ଜାରି ରହିଛି । ତେବେ ଗତକାଲି ଉଚ୍ଛେଦ ବେଳେ ଆଶ୍ରମରେ ଥିବା ସୁଡଙ୍ଗର ସନ୍ଧାନ ମିଳିଥିଲା । ଆଶ୍ରମ ଭିତରେ ଏକାଧିକ ସୁଡଙ୍ଗ ଦେଖି ବାବାଙ୍କ ଭକ୍ତମାନେ ମଧ୍ୟ ହତବାକ୍ ହୋଇଯାଇଛନ୍ତି । କେବଳ ବାନା ବାବା ଏହି ସୁଡଙ୍ଗ ରାସ୍ତା ଦେଇ ଯାଇଥିବା ଗୃହକୁ ପ୍ରବେଶ କରୁଥିଲେ । କେତେକଙ୍କ ମତରେ ଏହି ଗୁପ୍ତ ସୁଡଙ୍ଗ ମଧ୍ୟରେ ଥିବା ଗୃହରେ ବାବା ଧ୍ୟାନ କରୁଥିଲେ । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସୁଡଙ୍ଗ ଭିତରୁ ବାନା ବାବାଙ୍କ କିଛି ସାମଗ୍ରୀ ମିଳିଥିବା ନେଇ ଜଣାପଡ଼ିଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ସୂଚନା ଦେଇନାହିଁ ।