ପିଏମ ହୁଅନ୍ତୁ କି ସିଏମ୍, କେହି ଚଢିପାରିବେନି ନାଲିବତି : କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି

66

କନକ ବ୍ୟୁରୋ : ସାରା ଦେଶରୁ ହଟିବ ନାଲିବତି । ମେ ୧ରୁ ଲାଗୁହେବ ନିଷ୍ପତି । ମୋଦି କ୍ୟାବିନେଟ୍ ଆଜି ଏଭଳି ଏକ ବଡ଼ ନିଷ୍ପତି ନେଇଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ବିଚାରପତିଙ୍କ ଗାଡ଼ିରେ ବି ରହିବ ନାହିଁ ନାଲିବତି । କେବଳ ଜରୁରୁୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ଗାଡ଼ିରେ ରହିବ ନୀଳବତି ।

ନେତାଙ୍କୁ ମନା ନାଲିବତି । ଭିଆଇପି ଶାସନର ଯୁଗ ଶେଷ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ,ସଂସଦ,ସଚିବାଳୟ ଓ ରାଜଭବନ । ଶାସକ ଓ ପ୍ରଶାସକଙ୍କ ଏସବୁ ପେଣ୍ଠ ସ୍ଥଳୀରେ ଆଉ ଦେଖିବାକୁ ମିଳିବନି ମାଳ ମାଳ ନାଲିବତି ଗାଡି । କେନ୍ଦ୍ର କ୍ୟାବିନେଟରେ ପାରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଏଣିକି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବାରଣ ହୋଇଛି ନାଲିବତି । ଏମିତିକି ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତି ମାନେ ବି ଚଢିପାରିବେନି ନାଲିବତି ଗାଡି । ବହୁ ବର୍ଷଧରି ନାଲିବତି ଓ ଭିଆଇପି କଲଚରକୁ ନେଇ ସମାଲୋଚନା ଚାଲିଥିଲା । ଆଉ ଦେଢ଼ ବର୍ଷ ଧରି ବିଚାରବିମର୍ଶ ପରେ କେନ୍ଦ୍ର କ୍ୟାବିନେଟ୍ ଆଜି ଏଭଳି ଏକ ନିଷ୍ପତି ନେଇଛି । ତେବେ ଶାସନ ନୁହେଁ ସାଧାରଣ ଜନତା ଭାବେ ଶାସନତନ୍ତ୍ର ପରିଚାଳନା କରିବା ଉଦ୍ଦେଶ୍ୟରେ ନେତାଙ୍କ ଭିଆଇପି ପ୍ରୋଟୋକଲରେ ପରିବର୍ତନ ଆଣିଛନ୍ତି କେନ୍ଦ୍ର ସରକାର ।

ଏସବୁ ଭିତରେ ଓଡିଶାରେ ବଢି ଚାଲିଥିବା ଭିଆଇପି କଲଚରରେ ପହିବାକୁ ଯାଉଛି ପୂର୍ଣ୍ଣଛେଦ । ଇଏ ହେଉଛି ୨୦୧୪ ମସିହାରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା । ଯେଉଁଥିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୧୮ରୁ ଉର୍ଦ୍ଧ୍ୱ କ୍ୟାଟାଗୋରୀରେ ହାତ ଖୋଲି ନାଲିବତି ବାଂଟି ଚାଲିଥିଲେ ରାଜ୍ୟ ସରକାର । ଏମିତିକି ଗତବର୍ଷ ଜିଲ୍ଲା ଯୋଜନା ବୋର୍ଡରେ ଶାସକ ଦଳ ନେତାଙ୍କୁ ଥଇଥାନ କରି ୩୦ଜଣଙ୍କୁ ନାଲିବତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରାକର । ଆଉ ଏବେ କେନ୍ଦ୍ର କ୍ୟାବିନେଟର ନିଷ୍ପତି ପରେ ବଡବଡିଆଙ୍କ ନାଲିବତି ସୈାକରେ ପୂର୍ଣ୍ଣଛେଦ ପଡିଛି ।

ପୂର୍ବରୁ ଦିଲ୍ଲୀ ଓ ପଂଜାବ ସରକାର ମଧ୍ୟ ନାଲିବତି ଗାଡ଼ି ଉଚ୍ଛେଦ କରି ସାରିଥିବା ବେଳେ ଏବେ କେନ୍ଦ୍ର ସରକାର ସାରା ଦେଶରେ ଏହି ନିଷ୍ପତି ଲାଗୁ କରିଛନ୍ତି ।