ଅଚଳ ନୋଟ୍ ଅଚଳ ବଜାର ! ପଦକ୍ଷେପକୁ ସ୍ୱାଗତ କରି ନବୀନ ଉଠାଇଲେ ପ୍ରଶ୍ନ

35

କନକ ବ୍ୟୁରୋ : ନୋଟ୍ ପାଇଁ ନୀତି । କଳାଧନ ଉପରେ ରୋକ୍ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ସାରା ଦେଶ ବ୍ୟସ୍ତ ହୋଇ ପଡିଛି । କିଏ ନୀତିନିୟମ ସଂପର୍କରେ ନଜାଣି ଛାନିଆ ତ ପୁଣି କିଏ ନିଜ ପାଖରେ ଲୁଚାଇ ରଖିଥିବା କଳାଧନକୁ ନେଇ ବିବ୍ରତ । ଏସବୁ ଭିତରେ ଏଟିଏମ୍ ଓ ବ୍ୟାଙ୍କ ବନ୍ଦ ଥିବାରୁ କିଣାବିକାକୁ ନେଇ ଖୁବ୍ ହନ୍ତସନ୍ତ ହୋଇଛନ୍ତି ଜନତା । ହୁଏତ ଦୁଇ ଦିନ ପରେ ସ୍ୱାଭାବିକ ହେବ ସ୍ଥିତି । ହେଲେ ଜରୁରୀକାଳୀନ ପରିସ୍ଥିତିକୁ କେମିତି କରିବେ ସାମ୍ନା ତାକୁ ନେଇ ଚିନ୍ତା ବଢି ଯାଇଛି । ସେପଟେ ଆସନ୍ତା ଶନିବାର ଓ ରବିବାର ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ ବ୍ୟାଙ୍କ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛି ଆରବିଆଇ ।

ନୋଟ୍ ଅଚଳ ବଜାର ଅଚଳ । ବ୍ୟାନ୍ ନୋଟକୁ ନେଇ ସବୁଠି ଚର୍ଚ୍ଚା । ରାତି ୧୨ଟାରୁ ୨ ଦିନ ପାଇଁ ଏଟିଏମ୍ ବନ୍ଦ । ଆସନ୍ତାକାଲି ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ । ସାରା ଦେଶରେ ଠପ୍ ହୋଇ ଯାଇଛି ଆର୍ଥିକ କାରବାର । କେବଳ ଯାହା ନେଟ୍ ବ୍ୟାଙ୍କିଂ ଚାଲୁ ରହିଛି । ସେପଟେ ବଜାରରେ ଖୁଚୁରା ପାଇଁ ଖଚାଖଚ୍ ଭିଡ । ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଧରି ପେଟ୍ରୋଲ୍ ପମ୍ପରେ ଲୋକଙ୍କ ଭିଡ । କେଉଁଠି ଲମ୍ବା ଲାଇନ୍ ତ ପୁଣି କେଉଁଠି କଳି ଝଗଡା । କାରଣ ଦୁଇ ଦିନ ପରେ ପେଟ୍ରୋଲ୍ ପମ୍ପ ବି ନେବନି ପୁରୁଣା ନୋଟ୍ । ଏସବୁ ଭିତରେ ଅନେକଙ୍କ ପାଇଁ ଅବୁଝା ରହୁଛି ନୋଟ୍ ପାଇଁ ହୋଇଥିବା ନୁଆ ନୀତି । ତେଣୁ ମଧ୍ୟବିତ୍ତଙ୍କ ପ୍ରଶ୍ନ କଳାଧନ ନରଖି କାହିଁକି ହେବୁ ହନ୍ତସନ୍ତ ।
ଲୋକଙ୍କ ଚିନ୍ତା , ପାଖରେ ନାହିଁ ନିତିଦିନିଆ ଖର୍ଚ୍ଚ ପାଇଁ ଖୁଚୁରା ଟଙ୍କା ।

ଯଦିଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁରୁଣା ନୋଟ୍ ପ୍ରଚଳନ ପାଇଁ ନିୟମ ରହିଛି । ତେବେ ଭୟରେ ଏ ନିୟମକୁ ଅନେକ ମାନୁ ନଥିବା ଖବର ଆସୁଛି । ତେଣୁ ଏଭଳି ସ୍ଥିତିକୁ ମୁକାବିଲା କରିବାକୁ ଓ ନୋଟର ଦ୍ୱାହି ଦେଇ ହଇରାଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । କେବଳ ସେତିକି ନୁହେଁ ଏହି ପ୍ରକ୍ରିୟାକୁ ସହଜ କରିବାକୁ ରିଜର୍ଭ ବ୍ୟାଙ୍କ୍ ସହ ମଧ୍ୟ କଥାବାର୍ତ୍ତା କରୁଛନ୍ତି ରାଜ୍ୟ ସରକାର ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶାସନରେ ସ୍ୱଚ୍ଛତା ପାଇଁ ଆମେ ସବୁ ପଦକ୍ଷେପକୁ ସ୍ୱାଗତ କରୁଛୁ । ତେବେ ନୀତିରେ ଥିବା ତ୍ରୁଟିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଏହା ପ୍ରଧାନମନ୍ତ୍ରୀଙ୍କ ସହାସିକ ପଦକ୍ଷେପ । ଏହା ଦ୍ୱାରା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ବନ୍ଦ ହେବ । କେବଳ ସେତିକି ନୁହେଁ ଏଣିକି ଲୋକେ ସଚେତନ ଭାବେ ନଗଦ ଟଙ୍କା ବଦଳରେ ଚେକ୍ ବ୍ୟବହାର ବନ୍ଦ କରିବେ ।

ସେପଟେ ଏଟିଏମ୍, ବ୍ୟାଙ୍କ୍ ଓ ପେଟ୍ରୋଲ୍ ପମ୍ପ୍ ଉପରେ ପୁଲିସର ନଜର । ଭିଡ ସମୟରେ କାଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ତେଣୁ ପୁଲିସ୍ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଯୋଜନା କରିଛି । ଏଥି ସହ କେଉଁ ବ୍ୟାଙ୍କରେ କିଏ କେତେ ଟଙ୍କା ଜମା କରୁଛି , ତା ଉପରେ ମଧ୍ୟ ପୁଲିସ୍ ଦୃଷ୍ଟି ରଖିଛି ।

ଏହା ସହ ଦେଖନ୍ତୁ : ଆଜି ରାତିରୁ ୫ଶହ ଓ ୨ ହଜାର ଟଙ୍କାର ନୂଆ ନୋଟ୍ ଜାରି ହେବ : ଆରବିଆଇ