ଗୁରୁପ୍ରିୟା ସେତୁ ଜଳମଗ୍ନ : ବିପଦ ସଙ୍କେତ ଟପିଲା ବାଲିମେଳା ଡ୍ୟାମ, ସ୍ଥିତି ଅନୁଧ୍ୟାନ କଲେ ପୂର୍ତ୍ତ ବିଭାଗ ଯନ୍ତ୍ରୀ

33

କନକ ବ୍ୟୁରୋ : ବିପଦ ସଙ୍କେତ ଟପିଲା ବାଲିମେଳା ଜଳ ଭଣ୍ଡାର । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମାଲକାନଗିରିର ଗୁରୁପ୍ରିୟା ନଈ । ନିକଟରେ ଉଦଘାଟିତ ହୋଇଥିବା ଗୁରୁପ୍ରିୟା ସେତୁ ପାଖକୁ ପାଣି ଲାଗି ଆସିଛି । ତେବେ ଚଳିତ ବର୍ଷ ଗୁରୁପ୍ରିୟା ସେତୁ ପ୍ରଥମ ବର୍ଷ ବନ୍ୟାଜଳର ସମ୍ମୁଖୀନ ହେଉଥିବାରୁ ଗୁରୁପ୍ରିୟା ସେତୁର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ତ୍ତ ବିଭାଗର ଯନ୍ତ୍ରୀ ଦଳ ।

ଗୁରୁପ୍ରିୟା ଦେଇ ବାଲିମେଳା ଜଳ ଭଣ୍ଡାର ଭିତରକୁ ବନ୍ୟା ପାଣି ପ୍ରବେଶ କରୁଥିବା ଯୋଗୁଁ ଏବେ ବାଲିମେଳା ଜଳଭଣ୍ଡାର ମଧ୍ୟ ବିପଦ ସଙ୍କେତ ଟପି ଯାଇଛି । ବାଲିମେଳା ଜଳ ଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୧୫ ଶହ ୧୬ ଫୁଟ ଥିବା ବେଳେ ଜଳସ୍ତର ଏବେ ୧୫୧୦ ଫୁଟ ଛୁଇଁଛି । ଯଦି ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଜଳ ଭଣ୍ଡାରର ଜଳ ନିଷ୍କାସନ କରାଯିବ ବୋଲି ଜଣା ପଡିଛି । ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ଲାଗି ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ବଢ଼ୁଛି କୋଲାବ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଇବା କାରଣରୁ ଜଳଭଣ୍ଡାରର ଗେଟ୍ ଖୋଲାଯାଇଛି । ୪ ବର୍ଷ ପରେ କୋଲାବ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲଯାଇଥିବା ଜଣାପଡ଼ିଛି । ୨୦୧୪ ମସିହାରେ ଶେଷ ଥର ପାଇଁ କୋଲାବ୍ ଜଳଭଣ୍ଡାରର ଗେଟ୍ ଖୋଲାଯାଇଥିଲା । ଗତକାଲି ଗେଟ୍ ଖୋଲାଯିବା ପରେ ତଳିଆ ଅଂଚଳରେ ସତର୍କ ରହିବାକୁ ପ୍ରଶାସନ ସତର୍କ ସୂଚନା ଜାରି କରିଛି । କୋଲାବ୍ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ବ୍ୟାପକ ଅଂଚଳ ଜଳମଗ୍ନ ହେବ ବୋଲି କୁହାଯାଉଛି ।