ଗୁଣିଗାରେଡିକୁ ବିଶ୍ୱାସ କରି ମୃତ ଦେହକୁ ବଞ୍ଚାଇବା ପାଇଁ ରାତି ଅଧରେ ମେଡିକାଲ ଭିତରେ ଝଡାଫୁଙ୍କା : ଏ ପଟେ ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

59

କନକ ବ୍ୟୁରୋ : ଯେତେ ସଚେତନତା କଲେ ମଧ୍ୟ ଲୋକମାନେ ସଚେତନ ହେଉନାହାନ୍ତି । କେଉଁଠାରେ ପିଲାଙ୍କୁ ଚେଙ୍କ ଦିଆଯାଉଛି ଚ କେଉଁଠାରେ ରୋଗରେ ପଡି ଡାକ୍ତରଖାନାରେ ପଡିବା ପରେ ମଧ୍ୟ ଗୁଣିଆକୁ ଡାକି ଝଡାଫୁଙ୍ଖା କରାଯିବା ଦେଖାଯାଉଛି । ତେବେ ଲୋକମାନେ ବର୍ତ୍ତମାନ ସମୟରେ ଡାକ୍ତରଙ୍କ ଅପେକ୍ଷା ବେଶୀ ଗୁଣିଗାରେଡି ଉପରେ ହିଁ ବିଶ୍ୱାସ କରୁଛନ୍ତି । ଆଧୁନିକ ଯୁଗରେ କାହିଁକି ମଣିଷ ଏତେ ମାତ୍ରାରେ ଅନ୍ଧ ବିଶ୍ୱାସ ଉପରେ ଗୁରୁତ୍ୱ ଦେଉଛି ତାହାର ଉତ୍ତର କାହା ପାଖରେ ନାହିଁ । ଡାକ୍ତରୀ ଚିକିତ୍ସାକୁ ଚ୍ୟାଲେଞ୍ଜ କରି ମଣିଷ କିପରି ଗୁଣିଗାରେଡ଼ି ଉପରେ ଅଧିକ ବିଶ୍ୱାସ ରଖୁଛ, ତାହାର ଉଦାହରଣ ଆଜି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କଲା ପରେ ବି ମୃତକଙ୍କୁ ବଞ୍ଚାଇବାକୁ ପରିବାର ଲୋକେ ଗୁଣିଗାରେଡ଼ିର ସାହାଯ୍ୟ ନେଇଛନ୍ତି।

 

ଜଳେଶ୍ୱର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗ୍ରାମର ସିଦ୍ଧେଶ୍ୱର ଜେନା(୪୭) ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ବିଲରେ ପାଣି ଅଛି କି ନାହିଁ ଦେଖିବାକୁ ଯାଇଥିଲେ। ଜମି ଦେଖି ଫେରୁଥିବା ବେଳେ ହିଡ଼ରେ ତାଙ୍କୁ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କେଇ ମିନିଟ୍ ମଧ୍ୟରେ ପରିବାର ଲୋକେ ଓ ସମ୍ପର୍କୀୟ ସିଦ୍ଧେଶ୍ୱରକୁ ବଞ୍ଚାଇବା ପାଇଁ ଗୁଣିଗାରେଡ଼ିର ସହାୟତା ନେଇଥିଲେ।

ମିଳିଥିବା ସୂଚନା ଅନୁସାରେ ପରିବାର ଲୋକମାନେ କେଉଁ ଜଣେ ବାବାଙ୍କ ପାଖକୁ ଫୋନ କରିଥିଲେ । ତେବେ ସେହି ବାବା ଫୋନରେ ହିଁ ଝାଡିଦେବେ ବୋଲି ପରିବାର ଲୋକମାନେ ସେଠାରେ ଥିବା ସ୍ଥାନୀୟ ଲୋକମାନଙ୍କୁ କହିଥିଲେ । ତେବେ ପରେ ଡାକ୍ତରଙ୍କୁ ନଜଣାଇ ସେହି ବାବାଙ୍କ ପାଖକୁ ନେଇଯାଇଥିଲେ । ପରେ ସେଠାରେ କୈାଣସି ସୁଫଳ ମିଳିନଥିବାରୁ ରାତିରେ ପୁଣିଥରେ ମେଡିକାଲକୁ ମୃତଦେହ ଫେରାଇ ଆଣିଥିଲେ । ମୃତ ଦେହ ଆସିବା ପରେ ଶବକୁ ବ୍ୟବଚ୍ଚେଦ ପାଇଁ ପଠାଯିବା ସହ ମାମଲାରେ ପୋଲିସ ଏକ ଅପମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।