ଦାଦନର ଦୁଃଖ ! ଟଙ୍କା ପାଇଁ ଛୁଆକୁ ରଖିଦେଲା ଇଟାଭାଟି ମାଲିକ

31

କନକ ବ୍ୟୁରୋ : ଓଡିଶାରୁ ଯାଇ ହାଇଦ୍ରାବାଦରେ ହନ୍ତସନ୍ତ ଦାଦନ । ନବଜାତ ଶିଶୁକୁ ବନ୍ଧକ ରଖିଲା ଦାଦନ ସର୍ଦ୍ଦାର । ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ ନଦେଲେ, ନବଜାତ ଶିଶୁପୁତ୍ର ଦେବାକୁ ମନାକରିଦେଲା । ଏପରିକି ପଇସା ଯୋଗାଡ କରିବା ପାଇଁ ଗାଁକୁ ପଠାଇଦେଲା । ଆଉ ଏବେ ଶିଶୁପୁତ୍ରଟି କେଉଁଠି ତାର କିଛି ଖୋଜ ଖବର ପାଉ ନାହାନ୍ତି ପରିବାର ଲୋକ । ପୁଅକୁ ଫେରାଇ ଆଣିବାକୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ହସ୍ପିଟାଲ ସହ ଯୋଗାଯୋଗ କରିବାକୁ ଜଣାପଡିଛି, ପିଲାଟିକୁ କେହି ନେଇ ଯାଇଛି । ତେଣୁ ପୁରା ଘଟଣା ପଛରେ ଏକ ସୁଚିନ୍ତିତ ଷଡଯନ୍ତ୍ର ରହିଥିବା ଅନୁମାନ କରିଛନ୍ତି ଦାଦନ ପରିବାର ।

Dadanବିିଷ୍ଣୁ ବନଛୋର ଓ ସ୍ତ୍ରୀ ଭୂମିକା ବନଛୋର । ଦାଦନ ଖଟିବା ପାଇଁ ଯାଇଥିଲେ ହାଇଦ୍ରାବାଦ । ସାଙ୍ଗରେ ବି ଯାଇଥିଲେ ବାପା, ମାଆ । ଗତ ଫେବ୍ରୁଆରୀ ୨୫ ତାରିଖରେ ପ୍ରସବ ଯନ୍ତ୍ରଣା ପରେ ସ୍ତ୍ରୀ ଭୂମିକାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ ବିଷ୍ଣୁ । ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଅତ୍ୟଧିକ ରକ୍ତଶ୍ରାବ ଯୋଗୁଁ ଆଖି ବୁଜିଥିଲେ ଭୂମିକା । ସେପଟେ ହସ୍ପିଟାଲ ଖର୍ଚ୍ଚ ବାବଦ ଟଙ୍କା ଦାବି କରିଥିଲା ଇଟାଭାଟି ମାଲିକ । ଶିଶୁଟିର ଓଜନ କମ୍ ଥିବା କହିଥିଲେ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲ କର୍ତୃପକ୍ଷ । ଆଉ ଛୁଆକୁ ନେବାକୁ ହେଲେ ୧୨ ହଜାର ଟଙ୍କା ଶୁଝିବାକୁ ଦାବି କରିଥିଲା ଦାଦନ ସର୍ଦ୍ଦାର । ଛୁଆକୁ ନଦେଇ ଏମାନଙ୍କୁ ଗାଁକୁ ପଠାଇ ଦେଲା ।

ଛୁଆକୁ ନେବାକୁ ହେଲେ କାମ କର ନହେଲେ ଗାଁକୁ ଯାଇ ପଇସା ଯୋଗାଡ କର । ଦାଦନ ସର୍ଦ୍ଦାରର ଏଭଳି ଦାବି ପରେ ଛୁଆକୁ ଛାଡି ଗାଁକୁ ଚାଲିଆସିଥିଲେ ସମସ୍ତେ । ଭୂମିକାଙ୍କ ମାଆ କହିଛନ୍ତି ପାଖରେ ଥିବା ସମସ୍ତ ସୁନା ଗହଣା ଇଟାଭାଟି ମାଲିକକୁ ଦେଇଥିଲେ । ତଥାପି ସେ ଛୁଆକୁ ଦେଇନଥିଲା । ଓଡିଶା ଆସିବା ପରେ ଏମାନେ ପ୍ରଶାସନ ପାଖରେ ଦୁଃଖ ଜଣାଇଛନ୍ତି । ଛୁଆ ହସ୍ପିଟାଲରେ ଥିବ ଭାବି ତାକୁ ଫେରାଇ ଆଣିବାକୁ ହାରିଗୁହାରି କରୁଛନ୍ତି । ହେଲେ ଘଟଣାକୁ ଦେଢମାସ ବିତିଯାଇଥିଲେ ବି ଛୁଆର ପତା ନାହିଁ ।

ତେବେ ଦି ପଇସା ରୋଜଗାର ପାଇଁ ନିଜ ଭିଟାମାଟି ଛାଡି ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଓଡିଶାର ଗରିବ ଲୋକେ । କେତେବେଳେ ଦାଦନ ସର୍ଦ୍ଦାରର ନିର୍ଯାତନାର ଶିକାର ହେଉଛନ୍ତି । ହେଲେ ଟଙ୍କା କେଇଟା ପାଇଁ ନବଜାତ ଶିଶୁକୁ ବନ୍ଧକ ରଖିବା ଭଳି ସାଙ୍ଘାତିକ ଖବର ସରକାର ଓ ପ୍ରଶାସନ ପାଇଁ ଚିନ୍ତା କରିବାକୁ ବାଧ୍ୟ କରିଛି । ଯେ, ଯେଉଁସବୁ ଲୋକାଭିମୁଖୀ ଯୋଜନା ହେଉଛି ତାହା କେଉଁମାନଙ୍କ ପାଇଁ?

ଏହାସହ ଦେଖନ୍ତୁ ଏହି ଭିଡିଓ-