ଶିକ୍ଷକଙ୍କ ସହ ଆଲୋଚନା କରିବା ପାଇଁ ବିଭାଗୀୟ ମନ୍ତ୍ରୀ ରାଜି । ଖୁବଶୀଘ୍ର ହୋଇପାରେ ଆଲୋଚନା

79

କନକ ବ୍ୟୁରୋ : ଧାରଣାରତ ଶିକ୍ଷକ ଓ ଅଧ୍ୟାପକଙ୍କ ସମସ୍ୟାର ସମାଧାନର ରାସ୍ତା ଖୋଲିବ ନାହିଁ ତ ଗୃହ ଚାଲିପାରିବ ନାହିଁ। ଶିକ୍ଷକଙ୍କ ସମସ୍ୟା ସଂପର୍କରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ଏଭଳି ଜିଦ୍ ବିଧାନସଭାକୁ ଅଚଳ କରିଦେଇଥିଲା। ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହରେ ହଟ୍ଟଗୋଳ କରିବାକୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଲୋଚନାକୁ କାଣ୍ଟଛାଣ୍ଟ କରି କେଇ ମିନିଟ୍ ମଧ୍ୟରେ ଆଲୋଚନା ସାରି ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ତଥାପି ସ୍ଥିତି ସୁଧୁରିପାରିନଥିଲା। ଅପରାହ୍ନରେ ସର୍ବଦଳୀୟ ବୈଠକ ବସିଲା, ବାଚସ୍ପତି ରୁଲିଂ ଦେଲେ ଯେ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକଙ୍କ ସହିତ ଆଲୋଚନା କରିବେ। ସ୍ୱାଭାବିକ ହୋଇଥିଲା ଗୃହ। ‘ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା। ବିପର୍ଯ୍ୟସ୍ତ ଅବସ୍ଥାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା।’ ଶୀର୍ଷକରେ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ସହିତ ଗୃହକୁ ଶିକ୍ଷକଙ୍କ ସମସ୍ୟା ଫେରିଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଶିକ୍ଷକ ସମସ୍ୟା ସମାଧାନ କରିବା ପରିବର୍ତେ ସରକାର ଦିନ ଗଡାଇ ଚାଲିଛନ୍ତି। ଶିକ୍ଷା ଏକ ମୌଳିକ ଅଧିକାର। ସରକାର ପିଲାଙ୍କୁ ଶିକ୍ଷା ଦେବାକୁ ବାଧ୍ୟ। ଏଥିରୁ ନିଜକୁ ମୁକୁଳାଇପାରିବେନି।
ପିଲାଙ୍କ ମୌଳିକ ଅଧିକାର ଆଉ ସୁରକ୍ଷିତ ହୋଇ ରହିନାହିଁ ବୋଲି ସୂଚନା ଦେଇ ଶ୍ରୀ ମିଶ୍ର କହିଥିଲେ, ପିଲା ପାଠ ପଢାରୁ ବଞ୍ଚିତ ହୋଇ ରହିଛନ୍ତି।

 

ରାଜ୍ୟରେ ସମସ୍ତ ଶିକ୍ଷକ ପଦବି ପୂରଣ ପାଇଁ ବଜେଟ୍ରେ ବ୍ୟବସ୍ଥା ଥିଲା। ମାତ୍ର ସେ ଟଙ୍କାରେ ଜୋତା, ଛତା ଦିଆଗଲା। ଗୁଣାତ୍ମକ ଶିକ୍ଷା ଲାଗି ଏଗୁଡିକ କଣ ଦରକାର? ଏହା ନିରର୍ଥକ। ପିଲାମାନେ କଣ ଭୁଲକଲେ? ଅଭିଭାବକଙ୍କର କଣ ଭୁଲ୍? ସେଇଥିପାଇଁ ସମ୍ଭବତଃ ଘରୋଇ ବିଦ୍ୟାଳୟ ପ୍ରତି ଆକର୍ଷଣ ବଢୁଛି। ଶିକ୍ଷକମାନେ ମଧ୍ୟ ନିଜର ମୌଳିକ ଅଧିକାର ପ୍ରତି ସଚେତନ ନୁହଁନ୍ତି ବୋଲି ମନ୍ତବ୍ୟ ଦେଇ ବିରୋଧୀ ଦଳ ନେତା କହିଥିଲେ, ସମ୍ବିଧାନରେ କଣ ବ୍ୟବସ୍ଥା ରହିଛି, ଶିକ୍ଷା ଅଧିକାର ଆଇନରେ କଣ ସବୁ ଉଲ୍ଲେଖ ଅଛି, ସେସବୁ ସେମାନେ ଜାଣିବା ଦରକାର। ତା ନ ଜାଣି, କେବଳ ଦରମା ବୃଦ୍ଧି ଭଳି ଲଲିପପ୍ ଆଶାରେ ସେମାନେ ଆନ୍ଦୋଳନ କରୁଛନ୍ତି। ପିଲାଙ୍କ ପାଠପଢା ପ୍ରତି ଉଭୟ ଶିକ୍ଷକ ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ ରହିଛି ବୋଲି ସତର୍କ କରାଇବା ସହିତ ଏହି ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ। କେବଳ ସେତିକି ନୁହେଁ, ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ରାସ୍ତା ନ ବାହାରିବା ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ। ଏତିକିରେ କଂଗ୍ରେସ ସଭ୍ୟମାନେ ତତ୍କାଳ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ନାରାବାଜି କରିଥିଲେ। ରୁଲିଂ ଦାବି କରିଥିଲେ।

 

ବାଚସ୍ପତି କହିଥିଲେ, ମୁଲତବୀ ପ୍ରସ୍ତାବରେ ରୁଲିଂ ଦେବାର ବ୍ୟବସ୍ଥା ନାହିଁ। ବିଧାୟକମାନେ ଆଲୋଚନାରେ ଭାଗ ନେବା ଲାଗି ବାଚସ୍ପତି ନିବେଦନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାୟକଙ୍କୁ ଆସନକୁ ଫେରିବାକୁ ଅନୁରୋଧ କରିଥିଲେ। ମାତ୍ର ଏହାର କିଛି ବି ପ୍ରଭାବ ପଡିନଥିଲା। ପରେ ବାଚସ୍ପତି ବିଜେପି ସଭ୍ୟ ବିଭୂତି ଭୂଷଣ ହରିଚନ୍ଦନ, ପ୍ରଦୀପ କୁମାର ପୁରୋହିତଙ୍କୁ କହିବାକୁ ଡାକିଥିଲେ। ପାଟିତୁଣ୍ଡ ଭିତରେ ସେମାନେ ଧାଡିଟିଏ କହିଛନ୍ତି କି ନାହିଁ ବାଚସ୍ପତି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଲୋଚନା ପାଇଁ ବିଜେଡି ବିଧାୟକ ସମୀର ରଂଜନ ଦାଶ, ମହେଶ ସାହୁ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଡାକିଥିଲେ। ପଦେ ଦୁଇ ପଦ ସେମାନେ କହିବା ପରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବକ୍ତବ୍ୟ ରଖିଥିଲେ। କହିଥିଲେ, ଶିକ୍ଷକଙ୍କ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସରକାର ନିଷ୍ପତ୍ତିର ଆଖପାଖରେ ଅଛନ୍ତି। ସରକାର ଯେଉଁ ଅନୁଦାନ ନୀତି କରିଛନ୍ତି, ତାହାକୁ ସୁପ୍ରିମକୋର୍ଟ ପସନ୍ଦ କରିଛନ୍ତି ଓ ଯଥାର୍ଥ ବୋଲି କହିଛନ୍ତି। ଏଥିସହିତ ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ।

 

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟରେ ବିଭିନ୍ନ ଶ୍ରେଣୀର ଶିକ୍ଷକମାନେ ରାଜରାସ୍ତାରେ ଘୁରୁଛନ୍ତିି। ସେମାନଙ୍କର ସ୍ୱର କ’ଣ ସରକାରଙ୍କ କାନରେ ପଡ଼ୁନାହିଁ? ଗରିବ ବାପମା’ଙ୍କ ପିଲାମାନେ ଯେଉଁ ସ୍କୁଲରେ ପଢ଼ୁଛନ୍ତି, ସେଗୁଡ଼ିକ ବନ୍ଦ ରହିଛି। ଫଳରେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହୋଇପଡ଼ିଛି। ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ, ସରକାର ବ୍ୟସ୍ତ। ସୁପ୍ରିମ କୋର୍ଟଙ୍କ ଆଦେଶ ଗୁଣାତ୍ମକ ଶିକ୍ଷାଦାନ କର। କିନ୍ତୁ ଭଲ ଶିକ୍ଷକ ନ ହେଲେ କିପରି ଗୁଣାତ୍ମକ ଶିକ୍ଷା ସମ୍ଭବ? ଏଥିପାଇଁ ଭଲ ଦରମା ଦେବାକୁ ହେବ। ଏଣୁ, ସରକାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରନ୍ତୁ। ନ ହେଲେ ଗୃହ ଚାଲିପାରିବନି। ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଅତିରିକ୍ତ ଖର୍ଚଦାବି ଆଲୋଚନା ଆରମ୍ଭ କରିବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ପାଟିତୁଣ୍ଡ କରିଥିଲେ। ବିଜେପି ବିଧାୟକମାନେ ବି ବିରୋଧ ପ୍ରଦର୍ଶନ କରିଥିଲେ। ବାଚସ୍ପତି ଅଧଘଣ୍ଟା ପାଇଁ ଗୃହକୁ ମୁଲତବୀ କରିଦେଇଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ। ଏଥିପାଇଁ ପୁନର୍ବାର ଅଧଘଣ୍ଟା ପାଇଁ ଗୃହକୁ ମୁଲତବୀ କରାଯାଇଥିଲା। ପ୍ରାୟ ଦେଢ଼ଘଣ୍ଟା ଧରି ଆଲୋଚନା ଚାଲିବା ପରେ ବାଚସ୍ପତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଆନ୍ଦୋଳନକାରୀ ଶିକ୍ଷକଙ୍କ ସହିତ ଆଲୋଚନା କରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ଗୃହରେ ସ୍ୱାଭାବିକ ଭାବେ ଅତିରିକ୍ତ ଖର୍ଚଦାବି ଉପରେ ଆଲୋଚନା ଆରମ୍ଭ ହୋଇଥିଲା।