ମହିଳାଙ୍କ ପାଇଁ ପ୍ରେରଣା ବାଲେଶ୍ୱରର ବବିତା ପଣ୍ଡା ! ଜାତୀୟ ସ୍ତରୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ ପଦକ ଜିତି ସଫଳତା ସାଉଁଟିଛନ୍ତି ମହିଳା କନେଷ୍ଟବଳ ।

151

କନକ ବ୍ୟୁରୋ : ଆଜିର ମହିଳା ଆଉ ହାଣ୍ଡିଶାଳରେ ଆବଦ୍ଧ ନୁହେଁ । କେଉଁଥିରେ କମ୍ ନୁହନ୍ତି ବାଲେଶ୍ୱରର ମହିଳା କନେଷ୍ଟବଳ । ନିଜର ଦକ୍ଷତା ବଳରେ ଆଗକୁ ମାଡି ଚାଲିଛନ୍ତି ବବିତା ପଣ୍ଡା । ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ବବିତା ଖେଳକୁଦରେ ବି ବେଶ ଆଗରେ । ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟ କ୍ରୀଡାରେ ବବିତା ୪ଟି ସ୍ୱର୍ଣ୍ଣ ପଦକ ଜିତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ବାଲେଶ୍ୱରର ଝିଅ ବବିତା ପଣ୍ଡା । ରସାଳପୁର ବୈକୁଣ୍ଠନାଥ ଚୌଧୁରୀଙ୍କ ଝିଅ ବବିତା, ଓଡିଶା ପୁଲିସରେ ୨୨ ବର୍ଷ ଧରି କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି । ପୁଲିସ ବିଭାଗରେ ଚାକିରି କରିଥିବା ବବିତା ଖେଳକୁଦରେ ମଧ୍ୟ ପାରଙ୍ଗମ । ତାଙ୍କ ଫିଜିକାଲ୍ ଫିଟନେସ୍ ତାଙ୍କୁ କ୍ରୀଡା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ଆଣି ଦେଇଛି । ନିକଟରେ ଡେରାଡୁନରେ ଆୟୋଜିତ ଜାତୀୟ ମାଷ୍ଟରସ୍ ଗେମରେ ବାଲେଶ୍ୱରରୁ ଜଣେ ମାତ୍ର ପ୍ରତିଯୋଗୀ ଭାବେ ଭାଗ ନେଇ ୪ଟି ସ୍ୱର୍ଣ୍ଣ ଜିତି ପ୍ରଶଂସା ସାଉଁଟିଛନ୍ତି ବବିତା । ୨୭ଟି ରାଜ୍ୟର ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ବବିତା ଲଙ୍ଗ ଜମ୍ପ, ୫ କିଲୋମିଟର ଦୌଡ, ୧୫ଶହ ମିଟର ଦୌଡ ଓ ୪ ଶହ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି ।

ଖେଳକୁଦ ପାଇଁ ଶାରିରୀକ ସକ୍ଷମତା ନିହାତି ଜରୁରୀ । ତେଣୁ ପ୍ରତିଦିନ ସକାଳୁ ଦୌଡ ଅଭ୍ୟାସ କରିବା ସହ ଜୋରଦାର ବ୍ୟାୟାମ କରିଥାନ୍ତି ବବିତା । ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବା ବବିତାଙ୍କୁ ପ୍ରୋତ୍ସାହନ ମିିଳିଲେ ସେ ଏସିଆଡ୍ ଖେଳିବେ ବୋଲି ଆଶା ରଖିଛନ୍ତି । ୩-୪ ଥର ଅନ୍ତର୍ଜାତୀୟ କ୍ରୀଡା ପାଇଁ ଚୟନ ହୋଇଥିଲେ ସୁଦ୍ଧା ଆର୍ଥିକ ସମସ୍ୟା ତାଙ୍କ ବାଟ ଓଗାଳିଛି । ଚାକିରି, ଖେଳକୁଦ କରିବା ସହ ସଂସାର ଗାଡିକୁ ଖୁବ୍ ସୁନ୍ଦର ଭାବେ ଚଳାଇ ନେଉଛନ୍ତି ବବିତା ପଣ୍ଡା । ସ୍ୱାମୀଙ୍କ ସହଯୋଗରେ ଆଗକୁ ବଢିଛନ୍ତି ବବିତା । ୨ଟି ପୁଅର ମାଆ ବବିତା ନିଶ୍ଚୟ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ।