ବିଧବା ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଆଗେଇ ଆସିଲେ ବାବା ବଳିଆ । କହିଲେ, ବିଧବାଙ୍କ ମୁଣ୍ଡରୁ ବାଧ୍ୟ କରି ସିନ୍ଦୁର ଲିଭାଇବା ଅନୁଚିତ୍

335

କନକ ବ୍ୟୁରୋ : ସମାଜରୁ ବିଧବା ପ୍ରଥା ଉଚ୍ଛେଦ ହେବା ଦରକାର । ଏହା ଏକ ଘୃଣ୍ୟ ପ୍ରଥା ଏବଂ ଅନ୍ଧବିଶ୍ୱାସ ବୋଲି ମତ ରଖିଛନ୍ତି ବାବା ବଳିଆ । ବାବା କହିଛନ୍ତି, ବିଧବା ମହିଳା ସିନ୍ଦୁର ପିନ୍ଧିବା ଉଚିତ । ସେମାନଙ୍କୁ ମାଙ୍ଗଳିକ କାମରୁ ବାଦ୍ ଦେବା ଉଚିତ୍ ନୁହେଁ । ସମାଜରେ ବିଧବା ମହିଳାଙ୍କୁ ବିଭିନ୍ନ ସାମାଜିକ ବାସନ୍ଦର ଶିକାର ହେବାକୁ ପଡୁଛି, ସେମାନଙ୍କୁ ବିଭିନ୍ନ ମାଙ୍ଗଳିକ କାର୍ଯରେ ଦୂରେଇ ରଖିବା ଏକ ପ୍ରକାର ମାନସିକ ନିର୍ଯାତନା । ତେଣୁ ସମାଜରେ ଏଭଳି ଘୃଣ୍ୟ ପ୍ରଥାର ଉଚ୍ଛେଦ କରିବା ସହ ଜନସଚେତନତା ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ମଠାଧୀଶ ବାବା ବଳିଆ ।

ଯେଉଁଠି ସତୀଦାହ ପ୍ରଥାକୁ ବନ୍ଦ କରି ଦିଆଯାଇ ପାରୁଛି ସେଠାରେ ଏଭଳି ପ୍ରଥାକୁ କାହିଁକି ବନ୍ଦ କରାଯାଇପାରିବନି ବୋଲି କହିଛନ୍ତି ବାବା ବଳିଆ । ସ୍ୱାମୀଙ୍କର ମୃତ୍ୟୁ ପରେ ମହିଳା ମାନେ କାହିଁକି ସାମଜିକ ତଥା ଧାର୍ମିକ କାର୍ଯ୍ୟକମରୁ ଦୂରେଇ ରହିବେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ବାବା ବଳିଆ । ବାବାଙ୍କ ଏଭଳି କଥାକୁ ପରୋକ୍ଷଷର ସମର୍ଥନ କରିଛନ୍ତି ସାମାଜିକ କର୍ମୀ ନମ୍ରତା ଚଢା । ସେ କହିଛନ୍ତି, ମହିଳା ସବୁବେଳେ ମହିଳା । ଆମେ ତାଙ୍କୁ ବିଧବା ଓ ସଧବାରେ ଏଭଳି ଦୁଇଟି ଶ୍ରେଣୀରେ ବିଭକ୍ତ କରିପାରିବା ନାହିଁ । ଏପରିକି ବିଧବା ମହିଳା ମାନଙ୍କୁ ସାମାଜିକ କାର୍ଯ୍ୟକ୍ରମରୁ ଦୂରେଇ ରଖିବା ବଦଳରେ ସମାଜରେ ସମ୍ମାନର ସହ ବଞ୍ଚିବାକୁ ଦିଆଯାଉ ବୋଲି ସେ ଯୁକ୍ତି ବାଢିଛନ୍ତି । ଏପରିକି ଜଣେ ମା’ ହିସାବରେ ଯଦି କୌଣସି ବିଧବା ମହିଳା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସେ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ନମ୍ରତା ।