ଧମାଲ କରୁଛି ବାଦଶାହ ! ପ୍ରଥମ ଦିନରେ ଟପିଲା ୧୪ କୋଟି ଆୟ

95

କନକ ବ୍ୟୁରୋ : ପୁଣି ବକ୍ସ ଅଫିସରେ ହଲଚଲ । ଧମାଲ ମଚେଇଲେ ସିଙ୍ଘମ ଭାଓ । ପ୍ରାୟ ତିନିବର୍ଷ ପରେ ଅଜୟ ଦେବଗନଙ୍କୁ ମିଳିଛି କାମିୟାବୀ । ଗତକାଲି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଥିବା ବାଦଶାହ ଦର୍ଶକଙ୍କ ମନ ଜିତିଛି । ଆଉ ପ୍ରଥମ ଦିନରେ ଓପନିଂ କଲେକ୍ସନ ହୋଇଛି ୧୪ କୋଟି । ଏହାପୂର୍ବରୁ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଅନ୍ୟ ସିନେମାକୁ ପ୍ରାୟତଃ ଏଭଳି ସଫଳତା ମିଳି ନଥିଲା । ନଜର ପକାନ୍ତୁ ଅଜୟଙ୍କ ଅଭିନୀତ କିଛି ସିନେମାର ପ୍ରଥମ ଦିନର ଆୟ ଉପରେ ।

ଅଜୟ ଦେବଗନ । କେବେ ସେ ଦିଲୱାଲେ ହୋଇ ଦିଲ ଚୋରୀ କରିଛନ୍ତିି ପୁଣି କେବେ ଅପରାଧୀଙ୍କ ପାଇଁ ସାଜିଛନ୍ତି ସିଂଘମ । ସେ ଯେଉଁ ଅଭିନୟ ବି କରନ୍ତୁ ଦର୍ଶକେ ପସନ୍ଦ କରିଛନ୍ତି ତାଙ୍କ ସିନେମାକୁ । ପାଖାପାଖି ଶହେରୁ ଅଧିକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅଜୟ । ତେବେ ସେପ୍ଟେମ୍ବର ୧ ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଥିବା ବାଦଶାହ ଦର୍ଶକଙ୍କ ମନ କିଣିଛି । ପ୍ରଥମ ଦିନରେ ଆୟ ହୋଇଛି ୧୪ କୋଟି । ବକ୍ସ ଅଫିସରେ ପ୍ରଥମ ଦିନରେ ପାଖାପାଖି ୩୦ ପ୍ରତିଶତ କଲେକ୍ସନ କରିଛି ବାଦଶାହ ।

ଫିଲ୍ମରେ ଅଜୟଙ୍କ ବ୍ୟତୀତ ନଜର ଆସିଛନ୍ତି ଇମ୍ରାନ ହାସମୀ, ବିଦ୍ୟୁତ ଜମ୍ମୱାଲ, ଇଲିୟାନା ଡିକ୍ରୁଜ, ଇଶା ଗୁପ୍ତା ଓ ସଂଜୟ ମିଶ୍ର ପ୍ରମୁଖ । ଆକ୍ସନଧର୍ମୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଲନ ଲୁଥ୍ରିଆ । ଭାରତରେ ଜରୁରୀକାଳୀନ ପରିସ୍ଥିତି ଉପୁଜିଥିବା ବେଳେ ରାଜସ୍ଥାନର ମହାରାଣୀ ଗୀତାଞ୍ଜଳୀଙ୍କୁ ନେଇ ଚିତ୍ରଣ କରାଯାଇଛି । ଗୀତାଞ୍ଜଳୀଙ୍କ ଚରିତ୍ରରେ ଇଲିୟାନା ନଜର ଆସିଥିବା ବେଳେ ଅଜୟ ନଜର ଆସିଛନ୍ତି ଭବାନୀ ଚରିତ୍ରରେ । ଦଲୀୟା ଭୁମିକାରେ ନଜର ଆସିଛନ୍ତି ଇମ୍ରାନ ଯିଏ ଜଣେ ଅଲରାଉଣ୍ଡର ସାଜିଛନ୍ତି ଫିଲ୍ମରେ । ଫିଲ୍ମର କାହାଣୀ ଅପେକ୍ଷା ଗୀତ ଗୁଡିକ ମନକୁ ଛୁଇଁଛି । ଯେଉଁଥିପାଇଁ ହଲ ସାମ୍ନାରେ ଲାଇନ ଲଗେଇଛନ୍ତି ଦର୍ଶକ ।

ତେବେ ଏହା ପୂର୍ବରୁ ଅଜୟଙ୍କ ଅଭିନୀତ କିଛି ସିନେମାର ପ୍ରଥମ ଦିନରେ ଏଭଳି ଆୟ ହୋଇନଥିଲା । ନଜର ପକାନ୍ତୁ ସେହି ଦଶଟି ସିନେମାର ପ୍ରଥମ ଦିନର ଆୟ ଉପରେ ।

ଶିବାୟ :
ଅଜୟଙ୍କ ଶେଷ ଦଶଟି ସିନେମାକୁ ଯଦି ଦେଖାଯାଏ ତେବେ ୨୦୧୬ରେ ରିଲିଜ ହୋଇଥିବା ଶିବାୟ ହିଁ ଓପନିଙ୍ଗ ଡେର ସବୁଠୁ ଅଧିକ କଲେକ୍ସନ କରିଥିଲା । ବକ୍ସ ଅଫିସରେ ୧୦.୨୪କୋଟି ଇନକମ କରିଥିଲା ଶିବାୟ । ସାରା ଦେଶରେ ଶିବାୟ ପ୍ରାୟ ୧୦୦.୩କୋଟି ଆୟ କରିଥିଲା । ଖାଲି ଭାରତରେ ନୁହେଁ ଭାରତ ବାହାରେ ବି ଧୂମ ମଚାଇଥିଲା ଶିବାୟ । ବିଦେଶରୁ ଶିବାୟ ପ୍ରାୟ ୧୨ କୋଟି ଆୟ କରିଥିଲା ।

ଦୃଶ୍ୟମ :
ଅଧିକ ଆୟ କରିନଥିଲେ ବି ଭଲ ଇନକମ କରିଥିଲା ଦୃଶ୍ୟମ । ପ୍ରଥମ ସପ୍ତାହରେ ସିନେମାଟି ୪୮କୋଟି ରୋଜଗାର କରିଥିଲା । ୫୨କୋଟିର ଏହି ପ୍ରୋଜେକ୍ଟରେ ମୋଟ ୯୧.୯୭ କୋଟି ଆୟ ହୋଇଥିଲା । ୱାର୍ଲଡ ୱାଇଡ ପ୍ରାୟ ୧୯୫ କୋଟି ଆୟ କରିଥିଲା ସିନେମାଟି । ନିଶୀକାନ୍ତ କାମତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାଲାୟଲାମ ମୁଭି ଦ୍ରିଶ୍ୟମର ରିମେକ ଥିଲା । ଯେଉଁଥିରେ ନଜର ଆସିଥିଲେ ଅଜୟ ଦେବଗନ , ତବୁ ଓ ଶ୍ରେୟା ସରନ ।

ଆକ୍ସନ ଜ୍ୟାକ୍ସନ :
ଅଜୟ ଦେବଗନ ଓ ସୋନାକ୍ଷୀ ସିହ୍ନା ନଜର ଆସିଥିଲେ ଏହି ମୁଭିରେ । ରିଲିଜ ଡେରେ ୧୦.୨୫କୋଟି ଆୟ କରିଥିଲା ଆକ୍ସନ ଜ୍ୟାକ୍ସନ । ପ୍ରଥମ ଦିନରେ ଫିଲ୍ମକୁ ତ ଭଲ ରେସପନ୍ସ ମିଳିଲା ହେଲେ ପରେ ଏତେ ଭଲ ଚାଲି ନଥିଲା ସିନେମାଟି । ବକ୍ସ ଅଫିସରେ ପ୍ରାୟ ୫୭.୭୮ କୋଟି ଆୟ କରିଥିଲା ଫିଲ୍ମଟି ।

ସିଂଘମ ରିଟର୍ଣ୍ଣସ :
୨୦୧୪ରେ ରିଲିଜ ହୋଇଥିଲା ଏହି ଫିଲ୍ମଟି । ଆକ୍ସନ ଆଧାରିତ ଏହି ମୁଭିକୁ ଫାଷ୍ଟଡେ ରେସପନ୍ସ କିନ୍ତୁ ଚମକପ୍ରଦ ଥିଲା । ଦର୍ଶକେ କାଫି ପସନ୍ଦ କରିଥିଲେ ଅଜୟଙ୍କ ସିଂଘମ ଭାଓ ଅଭିନୟକୁ । ପୁଲିସ ଚରିତ୍ରରେ ଅପରାଧୀଙ୍କ ପାଇଁ ଯମ ସାଜିଥିଲେ ସେ । ବକ୍ସ ଅଫିସରେ ପ୍ରଥମ ଦିନରେ ୩୨.୦୯ କୋଟି ଆୟ କରିଥିଲା ଫିଲ୍ମଟି । ସାରା ଦୁନିଆରେ ସିନେମାଟି ୧୫୮ କୋଟି ଆୟ କରିଥିଲା । ଏହା ସିଂଘମର ସିକ୍ୱେଲ ହୋଇଥିବା ବେଳେ ଏଥିରେ ଅଜୟଙ୍କ ବିପକ୍ଷରେ ନାୟିକା ଥିଲେ କରୀନା କପୁର ।

ବୋଲ ବଚନ :
ଇଣ୍ଡଷ୍ଟ୍ରିରେ ସିରିୟସ କମେଡି ପାଇଁ ଅଜୟଙ୍କ ଖାସିୟତ ଟିକେ ଅଲଗା । ଆଉ ଏହି ସିନେମାରେ ଅଜୟ ପୁରା କମେଡି ଅନ୍ଦାଜରେ ନଜର ଆସିଥିଲେ । ଯାହା ଦର୍ଶକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇଥିଲା । ହସି ହସି ବେଦମ ହୋଇଥିଲେ ଦର୍ଶକେ । ବକ୍ସ ଅଫିସରେ ମଧ୍ୟ ଏହି ସିନେମାଟି ୧୦୨.୯୪କୋଟି ଆୟ କରିଥିଲା ।

ହିମତୱାଲା :
ବକ୍ସ ଅଫିସରେ ହିମତୱାଲା ଫ୍ଲପ ସାବ୍ୟସ୍ତ ହୋଇଥିଲା । ୨୦୧୩ରେ ଆସିଥିବା ଏହି ସିନେମାରେ ଅଜୟଙ୍କ ସହ ଲିଡରେ ଥିଲେ ତମନ୍ନା । ମାତ୍ର ୩୪.୩କୋଟି ଆୟ ହୋଇଥିଲା ଏହି ସିନେମାରୁ ।

ଏହାଛଡା ଅଭିତାଭ ବଚନଙ୍କ ଅଜୟଙ୍କ ସତ୍ୟାଗ୍ରହ ପ୍ରଥମ ଦିନ ୧୧.୨୧କୋଟି ଆୟ କରିଥିବା ବେଳେ ମୋଟ ୬୫.୮୫ କୋଟି ଆୟ କରିଥିଲା । ସୋନାକ୍ଷୀଙ୍କ ସହ ଅଭିନୀତ ସନ ଅଫ ସର୍ଦ୍ଦାର ଭାରତରେ ୮୯କୋଟି ଆୟ କରିଥିଲା ।

ତେବେ ଗତକାଲି ରିଲିଜ କରି ଧମାଲ ମଚାଇଥିବା ବାଦଶାହର ଗୀତ ଦର୍ଶକଙ୍କୁ ଆକୃଷ୍ଟ କରିଛି । ନୁସରତ ଫତେ ଅଲ୍ଲୀ ଖାନ ଓ ରାହତ ଫତେ ଅଲ୍ଲୀ ଖାନ ଗାଇଥିବା ମେରେ ରସ୍କେ କମର ଗୀତକୁ ବେଶ ଆଦୃତି ମିଳିଛି । ହଲରୁ ବାହାରିବା ବେଳେ ଏହି ଗୀତଟି ରହିଛି ସମସ୍ତଙ୍କ ମୁହଁରେ । ଭୁବନେଶ୍ୱରରେ ମଧ୍ୟ ଖାସ ଜମାଇଛି ଫିଲ୍ମଟି । ମହାରାଜା, ଆଇନକ୍ସ, କେଶରୀ, ଶ୍ରୀୟା, ସ୍ୱାତୀ ହଲରେ ଦର୍ଶକଙ୍କ ଭିଡ ଜମୁଛି ।