କଂଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ବିସ୍ଫୋରକ ବୟାନ: କହିଲେ, ବଲାଙ୍ଗିରରେ ବିଜେଡିର ପରାଜୟ ପାଇଁ କଳିକେଶ ଦାୟୀ

981

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିସାରିଛି । ରାଜ୍ୟରେ ପଂଚମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେଡ଼ି । ଚଳିତ ନିର୍ବାଚନରେ ୧୪୬ ଆସନରୁ ୧୧୨ ଆସନ ପାଇଥିଲେ ବି ଅନେକ ସ୍ଥାନରେ ବିଜେଡି ଜିତୁ ଜିତୁ ହାରିଛି । ରାଜ୍ୟରେ ଆଉ ଅଧିକ ଭଲ ପ୍ରଦର୍ଶନ କରିପାରିଥାଆନ୍ତା ବୋଲି ବିଜେଡ଼ି ସୁପ୍ରିମୋ ଆଶା କରିଥିଲେ । ତେବେ ବିଜେଡ଼ି ପରାଜିତ ହୋଇଥିବା ସ୍ଥାନରେ ପରାଜୟର କାରଣ ଖୋଜା ଚାଲିଛି ।

ବଲାଙ୍ଗୀର ଲୋକସଭା ଆସନ ହରାଇଛି ବିଜେଡ଼ି । ବିଜେପି ହାତକୁ ଚାଲିଯାଇଛି ଏହି ଆସନ । ଏହାବ୍ୟତୀତ ବଲାଙ୍ଗୀର ଅନ୍ତର୍ଗତ କଂଟାବାଞ୍ଜି, ବଲାଙ୍ଗୀର ବିଧାନସଭା ଆସନ କଂଗ୍ରେସ ଓ ହାତକୁ ଚାଲିଯାଇଥିବା ବେଳେ ଲୋଇସିଂହା ଆସନ ଅକ୍ତିଆର କରିନେଇଛି ବିଜେପି । କଂଟାବାଞ୍ଜିରେ ବିଜେଡ଼ିର ପରାଜୟ ନେଇ କଳିକେଶ ସିଂଦେଓଙ୍କ ଉପରେ ବର୍ଷିଛନ୍ତି ଆୟୁବ ଖାଁ । ବଲାଙ୍ଗୀର ଲୋକସଭା ପ୍ରାର୍ଥୀ କଳିକେଶ ସିଂଦେଓଙ୍କୁ ଏଥିପାଇଁ ଦାୟୀ କରିଛନ୍ତି କଂଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁ ।

ସେ କହିଛନ୍ତି କଳିକେଶ ସିଂଦେଓ ଅଧିକ ଲୋକଙ୍କୁ ଟିକେଟ ଦେବାପାଇଁ ଆଶା ଦେଇଥିଲେ । ବହୁତ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କଳିକେଶ ବାବୁ ଧୋକ୍କା ଦେଲେ ବୋଲି ଅଭିଯୋଗ କରିଛନ୍ତି । ବିଧାୟକ ପାଇଁ ଥିଲେ ଅନେକ ଆଶାୟୀ ପ୍ରାର୍ଥୀ । ହେଲେ ଟିକେଟ ନମିଳିବାରୁ ଆଶାୟୀ ପ୍ରାର୍ଥୀମାନେ ଦଳରେ ବିଦ୍ରୋହ କରିଥିଲେ । ଆଉ ଏହାକୁ ନିର୍ବାଚନରେ ପରାଜୟର ମୁଖ୍ୟ କାରଣ ବୋଲି ସେହି ଅଂଚଳରେ କହୁଛନ୍ତି । ବିଧାନସଭା ନିର୍ବାଚନରେ ଆୟୁବ ଖାନକୁ କଂଟାବାଞ୍ଚିରେ ଟିକେଟ ମିଳିନଥିଲା । ଏଠାରେ ନୂଆ ମୁହଁ ଦେଇଥିଲା ବିଜେଡି । ଏହି ଆସନକୁ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ମାତ୍ର ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଆବଶ୍ୟକ ବୋଲି କହିଛନ୍ତି ଆୟୁବ ଖାନ୍ ।

ସେପଟେ କିଶୋର ମହାନ୍ତି କହିଛନ୍ତି, ବଲାଙ୍ଗୀର ଲୋକସଭାରେ ବିଜେଡି କଣ ପାଇଁ ହାରିଲା ତାର ପୋଷ୍ଟମର୍ଟମ ହେବା ଦରକାର । ଯୋଗେନ୍ଦ୍ର ବେହେରା ଲୋଇସିଂହାରେ ପ୍ରାର୍ଥୀ ଚୟନ ଠିକ ନଥିବା ଆଡକୁ ଇଙ୍ଗିତ କରିଛନ୍ତି କିଶୋର । ଏଠାରୁ ତାଙ୍କ ପୁଅ ଅଶାୟୀ ଥିଲେ । ପ୍ରତିପକ୍ଷ ପ୍ରାର୍ଥୀ କେତେ ଭୋଟରେ ଜିତିଲେ ? କାହିଁକି କମ୍ ଭୋଟ ମିଳିଲା ? ସମୀକ୍ଷା ଆରମ୍ଭ କରିଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ବିଶ୍ବସ୍ତ ସୂତ୍ରରୁ ଅନୁସାରେ, ଖୁବ୍ ଶୀଘ୍ର କିଛି ନେତାଙ୍କ ବିରୋଧରେ ନବୀନ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଦଳର ପରାଜିତ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ଉପରେ ଏବେ ତର୍ଜମା ଆରମ୍ଭ ହୋଇଛି ।