ଅଯୋଧ୍ୟା ରାୟକୁ ନେଇ ସାମ୍ନାକୁ ଆସୁଛି ବିବାଦ । ଅସନ୍ତୁଷ୍ଟ ମୁସଲିମ୍ ପକ୍ଷ ଆଜି ଦାଏର କରିପାରନ୍ତି ପୁନଃବିଚାର ଯାଚିକା

513

କନକ ବ୍ୟୁରୋ : ଅଯୋଧ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଛି ମୁସଲିମ୍ ପକ୍ଷର ଅସନ୍ତୋଷ । ରାୟ ଆସିବାର ପ୍ରାୟ ୫ ଦିନ ପରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିରୋଧରେ ମୁସିଲମ୍ ପକ୍ଷ ପୁନଃବିଚାର ଯାଚିକା ଆବେଦନ କରିପାରେ । ଆଜି ଦିଲ୍ଲୀରେ ହେବାକୁ ଥିବା ଅଲ ଇଣ୍ଡିଆ ମୁସିଲମ୍ ପର୍ସନାଲ୍ ଲ ବୋର୍ଡର ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତି । ଗତକାଲି ଉତରପ୍ରଦେଶର ଇସଲାମିକ୍ ଶିକ୍ଷା କେନ୍ଦ୍ର ଉଲୁମ୍ ନଦବାତୁଲ୍ ଉଲେମା ଠାରେ ଏକ ଅନୌପଚାରିକ ବୈଠକରେ ପୁନଃବିଚାର ଯାଚିକା ଆବେଦନ ନେଇ ନିଷ୍ପତି ହୋଇଥିବା ସୂଚନା ମିଳିଛି । ଏହି ବୈଠକରେ ମୁସଲିମ୍ ପକ୍ଷର ବିଭିନ୍ନ ବ୍ୟକ୍ତିଙ୍କ ସହିତ ଓକିଲ ଜାଫରୟାବ ଜିଲାନୀଙ୍କ, ସୁନ୍ନୀ ୱାକଫ ବୋର୍ଡ ମଧ୍ୟ ସାମିଲ ହୋଇଥିଲା ।

ଏହି ଅନୌପଚାରିକ ବୈଠକରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ରାୟ ଦେଇ ମସଜିଦ୍ ପାଇଁ ମୁସଲିମ୍ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ଦେବା ରାୟକୁ ବିରୋଧ କରାଯିବା ନେଇ ସହମତି ହୋଇଥିବା ସୂଚନା ମିଳିଛି । ଏହି ବୈଠକରେ ଇକବାଲ୍ ଅନସାରୀ ଏବଂ ସୁନ୍ନୀ ୱାକଫ୍ ବୋର୍ଡ ପୁନଃବିଚାର ଯାଚିକା ଆବେଦନରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ଆଜି ମୁସଲିମ୍ ପର୍ସନାଲ ଲବୋର୍ଡ ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁନଃ ଯାଚିକା ଆବେଦନ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ମସଜିଦ୍ ପାଇଁ ଦିଆଯାଉଥିବା ୫ ଏକର ଜମି ଗ୍ରହଣୀୟ ନୁହଁ । ଯେଉଁ ସ୍ଥାନରେ ମସଜିଦ୍ ରହିଛି ସେହି ସ୍ଥାନରେ ଜମି ଦାବି କରୁଛି ମୁସଲିମ୍ ପକ୍ଷ ।