ଅଯୋଧ୍ୟା ଫଇସଲା ପାଇଁ ହାଇଆଲର୍ଟ । ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି । ୟୁପି, ଜମ୍ମୁକାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ଛୁଟି

ଲକ୍ଷ୍ନୌ ସମେତ ବିଭିନ୍ନ ସହରରେ ସୁରକ୍ଷା ବାହିନୀର ଫ୍ଲାଗ ମାର୍ଚ୍ଚ

305

କନକ ବ୍ୟୁରୋ: ଅଯୋଧ୍ୟା ଫଇସଲାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ସତର୍କ ରହିବାକୁ କୁହାଯାଇଛି । ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଅଯୋଧ୍ୟା ମାମଲାରେ ଶୁଣାଣି ହେବା ପୂର୍ବରୁ ରାଜ୍ୟରେ କାନୁନ ବ୍ୟବସ୍ଥା ଉପରେ କଡା ନଜର ରଖିବାକୁ ସରକାର ଆଲର୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋଦ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏହାସହ ୪ହଜାର ଅର୍ଦ୍ଧସୈନିକବଳଙ୍କୁ ନିୟୋଜିତ କରାଯାଇଛି । ୭୮ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସୁରକ୍ଷା ବାହୀନି ଆଲର୍ଟ ରହିଛନ୍ତି ।

ସେପଟେ ସୋସିଆଲ ମିଡିଆରେ ଯେପରି କେହି କୌଣସି ବିବାଦୀୟ ମନ୍ତବ୍ୟ ନଦେବେ ସେଥିପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି । ଏପରିକି ଆବଶ୍ୟକ ପଡିଲେ ଇଂଟରନେଟ ସେବା ବନ୍ଦ କରି ଦିଆଯାଇପାରେ । ଜିଲ୍ଲା ଅଧିକାରୀ ଧର୍ମଗୁରୁଙ୍କ ସହ ଆଲୋଚନା କରୁଛନ୍ତି । ସେନା ଏବଂ ବାୟୁସେନାକୁ ମଧ୍ୟ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଏହାସହ ୬ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନେ ରାୟ ଆସିଲା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି । କେବଳ ଅଯୋଧ୍ୟାରେ ୧୫ ହଜାର ଯବାନ ମୁତୟନ ହୋଇଥିବା ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଉତର ପ୍ରଦେଶ, ଜାମ୍ମୁ କାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଙ୍ଗଳବାର ଯାଏ ସ୍କୁଲ ଓ କଲେଜ୍ ବନ୍ଦ ରଖାଯାଇଛି ।

ଏପଟେ ଐତିହାସିକ ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଟୁଇଟ୍ କରି ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତିନିଟି ଟୁଇଟରେ ସେ ଲେଖିଛନ୍ତି ଯେ, ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ଯେଉଁ ନିଷ୍ପତି ଆସିବ ତାହା କାହାର ବିଜୟ କିମ୍ବା ପରାଜୟ ହେବ ନାହିଁ । ଏହି ନିଷ୍ପତି ଭାରତର ଶାନ୍ତି, ଏକତା ଓ ସଦଭାବନାର ମହାନ ପରମ୍ପରାକୁ ଯେଭଳି ଅଧିକ ମଜଭୁତ କରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି । ଦେଶର ନ୍ୟାୟପାଳିକାର ମାନ ସମ୍ମାନକୁ ଶୀର୍ଷରେ ରଖି ସମାଜର ସମସ୍ତ ପକ୍ଷ, ସାମାଜିକ ଓ ସାଂସ୍କୃତିକ ସଂଗଠନ ଗୁଡିକ ଯେଭଳି ସୌହାଦ୍ଦ୍ୟପୂଣ୍ଣ ଓ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଲାଗି ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । କୋର୍ଟଙ୍କ ନିଷ୍ପତି ପରେ ମଧ୍ୟ ଆମକୁ ସେହିଭଳି ସୌହାର୍ଦ୍ଦ୍ୟପୂଣ୍ଣ ବାତାବରଣ ବଜାୟ ରଖିବାକୁ ହେବ ।