ଆଜି ଆସିବ ଅଯୋଧ୍ୟା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ: ଦିନ ସାଢେ ୧୦ଟାରେ ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ; ସାରା ଦେଶରେ ହାଇଆଲର୍ଟ

ସୋସିଆଲ ମିଡିଆ ଉପରେ କଡା ନଜର

404

କନକ ବ୍ୟୁରୋ: ଅଯୋଧ୍ୟାରେ ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରିମସଜିଦ ଜମି ବିବାଦ ମାମଲାରେ ଆଜିି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ସକାଳ ୧୦ଟା ୩୦ମିନିଟ ସମୟରେ କୋର୍ଟଙ୍କ ରାୟ ପ୍ରକାଶ ପାଇବ । ୪୦ ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଗତ ଅକ୍ଟୋବର ୧୬ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ସେପଟେ ଅଯୋଧ୍ୟାରେ ୧୪୪ଧାରା ବଳବତ୍ତର ରହିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଅଯୋଧ୍ୟାରେ ୪ହଜାର ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷାକର୍ମୀ ମୁତୟନ ପାଇଁ କଡା ନିର୍ଦ୍ଦେଶ ରହିଛି । ଦେଶରେ ଯେପରି କୌଣସି ଅପ୍ରିତିକର ଘଟଣା ନଘଟେ ସେଥିପ୍ରତି ସଜାଗ ରହିବା ପାଇଁ ସବୁ ରାଜ୍ୟ ସରକାରମାନଙ୍କୁ ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଡ୍ରୋନ ମାଧ୍ୟମରେ ଅଯୋଧ୍ୟା ସହର ଉପରେ ନଜର ରଖାଯାଇଛି । ଅଯୋଧ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ କେତେକ ଶାନ୍ତି କମିଟି ତିଆରି କରିଛି । ଏହି ଶାନ୍ତିକମିଟିର ସଦସ୍ୟମାନେ ଗାଁ ଗାଁ ବୁଲି ଶାନ୍ତି ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅପିଲ କରୁଛନ୍ତି ।  ଏହାରି ଭିତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଉତ୍ତରପ୍ରଦେଶ ଡିଜିପି ଓପି ସିଂ ଓ ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀଙ୍କୁ ଭେଟିଛନ୍ତି । ଅଯୋଧ୍ୟାର ସମ୍ବେଦନଶୀଳ ସ୍ଥାନ ଗୁଡିକରେ କିପରି ରହିଛି ପରିସ୍ଥିତି ତାହା ପଚାରି ବୁଝିଛନ୍ତି ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଦୁଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନ ବିଚାରପତି ।

ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଶତାଧିକ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଚୁୂଡାନ୍ତ ରାୟ ଶୁଣାଇବେ । ବଡ କଥା ହେଉଛି, ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ରାୟ ଶୁଣାଇବେ । ଆଜି ଛୁଟି ଦିନରେ ମଧ୍ୟ ସୁପ୍ରିମକୋର୍ଟରେ ସମ୍ବିଧାନ ପୀଠ ବସିବ ଏବଂ ଶତାଧିକ ବର୍ଷର ପୁରୁଣା ମାମଲାର ରାୟ ପ୍ରକାଶ କରାଯିବ । ଆସନ୍ତା ୧୭ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅବସର ନେବେ । ଆଜି ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କ ସୁରକ୍ଷା ମଧ୍ୟ ବଢାଇଦିଆଯାଇଛି ।