ମେଲବୋର୍ଣ୍ଣରେ ଚମକିଲେ ଚହଲ! ମାତ୍ର ୨୩୦ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ, ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

335

କନକ ବ୍ୟୁରୋ : ମେଲବୋର୍ଣ୍ଣ ମହାଲଢେଇ । ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବାକୁ ଟାର୍ଗେଟ ୨୩୧ । ମେଲବୋର୍ଣ୍ଣରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ବଳରେ ୨୩୦ ରନରେ ପ୍ୟାଭିଲିୟନ ଫେରିଛି ପୂରା ଅଷ୍ଟ୍ରେଲିଆ ଟିମ୍ । ଆଉ ଏହାସହ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ରହିଛି ଟିମ୍ ଇଣ୍ଡିଆ ।

ମେଲବୋର୍ଣ୍ଣରେ ଖେଳାଯାଉଥିବା ଶେଷ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ବିରାଟ । ଯାହାକୁ ସଠିକ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ଖାସକରି ଟିମ୍ ଇଣ୍ଡିଆରେ ଯାଦୁଗରୀ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଆଗରେ ମାତ୍ର ୨୩୦ ରନରେ ମୁଣ୍ଡ ନୁଆଁଇଥିଲା କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ପିଟର ହ୍ୟାଣ୍ଡସକମ୍ବ ସର୍ବାଧିକ ୫୮ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ୟୁଜବେନ୍ଦ୍ର ଚହଲ କଞ୍ଜୁସ ବୋଲିଂ କରିବା ୧୦ ଓଭରରେ ୪୨ ରନ ଦେବା ସହ ୬ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ଏହାଛଡା ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ପୂର୍ବରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ଏହି ମ୍ୟାଚର ବିଜେତା ସିରିଜ ହାତେଇବ । ତେଣୁ ଏହା ଉଭୟ ଦଳ ପାଇଁ କର ବା ମର ସ୍ଥିତି ଛିଡା କରିଛି ।