କାହାର କଟିବ ବିଜେଡି ଟିକେଟ୍, ସୋସିଆଲ୍ ମିଡିଆରେ ଘୁରିବୁଲିଲା ଅଡିଓ କ୍ଲିପ୍? ବିଜେଡି କହିଲା, ଡାର୍ଟି ଟ୍ରିକସ ଡିପାର୍ଟମେଂଟର କାମ

459

କନକ ବ୍ୟୁରୋ :  ବିଜେଡି ଟିକେଟ୍ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଓ କ୍ଲିପକୁ ନେଇ ଚର୍ଚା ଜୋର୍ ଧରିଛି । ଆଜି ବିଜେଡି କହିଛି, ଏହା ଡାର୍ଟି ଟ୍ରିକସ ଡିପାଟମେଂଟର କାମ । ଏପରି ଫେକ୍ ନ୍ୟୁଜ ପ୍ରଚାର କରି ଫାଇଦା ନେବା ପାଇଁ ଚାଲ ଖେଳୁଛି ବିରୋଧୀ । ଏହାରି ଭିତରେ ପାୱାର କରିଡରରେ ପୁଅ ପାଇଁ ଟିକେଟ୍ ଲବି କରିବାକୁ ପହଁଚିଛନ୍ତି କିଛି ବରିଷ୍ଠ ନେତା ।

କିଏ ପାଇବ ବିଜେଡି ଟିକେଟ୍, ଏ ନେଇ ଜୋରଦାର କସରତ୍ ଚାଲିଥିବା ବେଳେ ସୋସିଆଲ୍ ମିଡିଆରେ ଘୁରିବୁଲିଛି ଏକ ଅଡିଓ କ୍ଲିପ୍ । ଏହି ଅଡିଓ କ୍ଲିପରେ କେଉଁ ଜିଲ୍ଲାରେ କାହାର ଟିକେଟ କଟିବ, ଏନେଇ ବିସ୍ତୃତ ବିବରଣୀ ଦେଉଛନ୍ତି ଜଣେ ଅଜଣା ବ୍ୟକ୍ତି । ଅଡିଓ କ୍ଲିପ୍ ଏପରି ଭାବେ ପ୍ରସ୍ତୁତ କରାଯାଇଛି, ସତେ ଯେପରି ବିଜେଡି କ୍ଷମତା କରିଡରରୁ ଜଣେ କେହି ଏହାକୁ ଲିକ୍ କରୁଛି । ତେବେ ବିଜେଡି କହିଛି, ଏପରି ଫେକ୍ ନ୍ୟୁଜ ପ୍ରଚାର କରି ଫାଇଦା ନେବା ପାଇଁ ଚାଲ ଖେଳୁଛି ବିରୋଧୀ ।  ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିରୋଧୀଙ୍କ ଆଡକୁ ଇସାରା କରି କହିଛନ୍ତି, ଏହା ଡାର୍ଟି ଟ୍ରିକ୍ସ ଡିପାଟମେଂଟର କାମ ।

ଟିକେଟ୍ ପାଇଁ ନେତାଙ୍କ ଛାତିରେ ଛନକା ପଶିଥିବା ବେଳେ ଏହି ଅଡିଓ କ୍ଲିପ୍ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁମାନଙ୍କ ନାଁ ଏଥିରେ କୁହାଯାଉଛି, ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଆଜି ସଚିବାଳୟରେ ଦେଖିବାକୁ ମିଳିଥିଲା । ସୁପ୍ରିମୋ ଯାହା ନିଷ୍ପତି ନେବେ, ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଏହି ବିଧାୟକମାନେ ।

ସୋସିଆଲ୍ ମିଡିଆରେ କିଏ ଏପରି ଅଡିଓ କ୍ଲିପ୍କୁ ଭାଇରାଲ କରୁଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି ବିଜେଡି ଶିବିରରେ । ଗୋଟିଏ ପଟେ ଅଡିଓ କ୍ଲିପରେ କାହାକ ଟିକେଟ କଟିବ ତାହାକୁ ନେଇ ତୁମ୍ବିତୋଫାନ ହେଉଥିବା ବେଳେ ଅନ୍ୟପଟେ ପାୱାର କରିଡରରେ ପୁଅ ପାଇଁ ଟିକେଟ୍ ଲବି କରିବାକୁ ମଧ୍ୟ ପହଁଚିଛନ୍ତି ବିଜେଡିର କିଛି ବରିଷ୍ଠ ନେତା ।