ସାମ୍ବାଦିକଙ୍କ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ? ସପ୍ତାହେରେ ୪ ଜଣ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ

176

କନକ ବ୍ୟୁରୋ: ସମାଜରେ ଅସୁରକ୍ଷିତ ସାମ୍ବାଦିକ । ଦିନକୁ ଦିନ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି । ଖବର ସଂଗ୍ରହ କରିବାକୁ ଯିବାବେଳେ ସାମ୍ବାଦିକଙ୍କୁ ମନ ଇଚ୍ଛା ଗାଳିଗୁଲଜ କରୁଛନ୍ତି ପୋଲିସ ବାବୁ । ଖବର ସଂଗ୍ରହ ବେଳେ ଧମକ ଦେଇ, ଧକ୍କା ଦେଇ ନିର୍ଦ୍ଦିଷ୍ଟ କିଛି ଖବରକୁ ପରିବେଷଣ କରିବାକୁ ମନାକରୁଛନ୍ତି ପୋଲିସ । ଦୁର୍ନୀତି, ପିସି ଭଳି ଅପରାଧର ଖବର ପ୍ରକାଶ କଲେ ସାମ୍ବାଦିକଙ୍କୁ ହେଉଛି ମାଡ । ଚଳିତ ମାସ ଗୋଟିଏ ସପ୍ତାହରେ ଚାରି ଚାରି ଜଣ ସାମ୍ବାଦିକଙ୍କୁ ପୋଲିସ ମାଡ ଓ ଦୁର୍ବ୍ୟବହାର କରିବା ପରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।
କାହାକୁ କେବେ ଆକ୍ରମଣ
ତେବେ ଜୁଲାଇ ୧୪ରେ କନକ ନ୍ୟୁଜ ପ୍ରତିନିଧି ପରେଶ ନାୟକଙ୍କୁ ପଟ୍ଟନାଇକିଆ ଛକରେ ଦୁର୍ବ୍ୟବହାର ହୋଇଥିଲା । ଜୁଲାଇ ୧୭ରେ ନ୍ୟୁଜ-୧୮ ସାମ୍ବାଦିକ ଅଜେସ ମଲ୍ଲିକଙ୍କ ଉପରେ କେନ୍ଦ୍ରାପଡା ଏସପି ନୀତି ଶେଖର ହାତ ଉଠାଇଥିଲେ । ଜୁଲାଇ ୧୯ରେ ଅର୍ଗସ ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ । ସେହିପରି ଜୁଲାଇ ୧୯ରେ କଳିଙ୍ଗ ଟିଭିର ସମ୍ବଲପୁର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛି ପୋଲିସ । ସାମ୍ବାଦିକମାନଙ୍କ ଉପରେ ହେଉଥିବା ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣିବା ନେଇ ଜୋର ଧରିଛି ଦାବି । ଏଥିସହ ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଛି ।
ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଖାକି ବର୍ଦିର ଆଢୁଆଳରେ ପୋଲିସ କର୍ମଚାରୀଙ୍କ ଦାଦାଗିରିର ସବୁ ସୀମା ସରହଦ ପାର ହୋଇ ଯାଉଥିବା ବେଳେ ସେମାନଙ୍କ ଶାଳୀନତାର ସବୁ ସୀମା ମଧ୍ୟ ଟପି ଯାଉଛି ।

ତେବେ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ପରେ ଏବେ ଅନେକ ପ୍ରଶ୍ନ ଉଠୁଛି । ସାମ୍ବାଦିକ ମାନେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ସେମାନଙ୍କୁ ସୁରକ୍ଷା ଦେବ କିଏ ? ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି କାହିଁକି ? ସାମ୍ବାଦିକଙ୍କ ସୁରକ୍ଷା ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଆଇନ ଆସିବା ଜରୁରୀ କି?