ଏଟିଏମ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ! ଏଣିକି ଏଟିଏମ ବ୍ୟବହାର କଲେ ଦେବାକୁ ପଡ଼ିବ ଅଧିକ ଚାର୍ଜ, ଜାଣନ୍ତୁ ଏହା ପଛର କାରଣ କଣ?

32

ଦିନକୁ ଦିନ ଦେଶରେ ଏଟିଏମ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଲୋକମାନେ ଅନଲାଇନ ଟ୍ରାନଜାକ୍ସନ ବଦଳରେ ଏଟିଏମ ଅଧିକ ବ୍ୟବହାର କରିଥାନ୍ତି । ତେବେ ଏଟିଏମ୍ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କାରଣ ଖୁବ୍ ଶୀଘ୍ର ଆପଣଙ୍କ ଉପରେ ଏଟିଏମ୍ ଟ୍ରାନଜାକ୍ସନର ବୋଝ ବଢ଼ିପାରେ। ନିକଟରେ ଆରବିଆଇର ନିର୍ଦ୍ଦେଶକ୍ରମେ ଏଟିଏମ୍ ଚାର୍ଜ ବୃଦ୍ଧି ପାଇପାରେ ବୋଲି ଖବର ପ୍ରକାଶ ପାଇଥିବା ବେଳେ ଏ ନେଇ ବ୍ୟାଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।

ନିକଟରେ ରିଜର୍ଭ ବ୍ୟାଙ୍କ ଏଟିଏମ୍ ଅପଗ୍ରେଡେସନକୁ ନେଇ ନିର୍ଦ୍ଦେଶ ଜାରି କରିଛି। ଏହାପରେ ଏଟିଏମ୍ ଚାର୍ଜ ବଢ଼ିବାର ଆଶା ରଖା ଯାଉଛି। ଏଟିଏମକୁ ନେଇ ହେଉଥିବା ଲୁଟ ଓ ହ୍ୟାକିଂ ମାମଲାକୁ ନେଇ ଆରବିଆଇ ସମସ୍ତ ବ୍ୟାଙ୍କ ଓ ଏଟିଏମ୍ ଅପଗ୍ରେଡ ପାଇଁ ନିର୍ଦ୍ଦେଶ ଦେଇଛି। ଆରବିଆଇ ଏହାର ସମୟସୀମା ବି ଧାର୍ୟ୍ୟ କରିଛ। ଏହାର ସମୟ ଅଗଷ୍ଟ ୨୦୧୮ରେ ଆରମ୍ଭ ହୋଇ ୨୦୧୯ରେ ଶେଷ ହେବ। ଅର୍ଥାତ୍ ୨୦୧୯ ଜୁନ୍ ସୁଦ୍ଧା ପ୍ରତ୍ୟେକ ବ୍ୟାଙ୍କ ନିଜର ଏଟିଏମ୍ ଅପଗ୍ରେଡର ପୂରା କାମ କରିବାକୁ ପଡ଼ିବ।

କନଫେଡରେସନ୍ ଅଫ ଏଟିଏମ୍ ଇଣ୍ଡଷ୍ଟ୍ରିଙ୍କ କହିବାନୁସାରେ, ଏଟିଏମ୍ ଇଣ୍ଡଷ୍ଟ୍ରି ପୂର୍ବରୁ ହିଁ କ୍ଷତି ସହୁଛି। ଏଭଳି ପରିସ୍ଥିତିରେ ଏଟିଏମ୍ ଅପଗ୍ରେଡ କରିବା ଦ୍ୱାରା ଖର୍ଚ୍ଚ ବଢ଼ି ଯିବ।ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ିବ । କାରଣ ଏହି ଖର୍ଚ୍ଚ ଗ୍ରାହକଙ୍କ ନିକଟରୁ ଭରଣା କରାଯିବ । ଯାହାଦ୍ୱାରା ଏଟିଏମ ଟ୍ରାନଜାକ୍ସନ ଫି ବୃଦ୍ଧି କରାଯିବ ।