୯୦ ବର୍ଷର ନିଷ୍ପତ୍ତି ୯୦ ମିନିଟରେ । ପଛୁଆବର୍ଗଙ୍କ ସର୍ଭେ ପାଇଁ ମନାକଲା କେନ୍ଦ୍ର, ଅଂଟା ଭିଡିଲା ରାଜ୍ୟ ।

ଏପରିକି ବର୍ତ୍ତମାନର ବିଜେପି ସରକାର ୨୦୧୩ରେ କଂଗ୍ରେସକୁ ଏନେଇ ସମାଲୋଚନା କରିଥିଲା । ଆଉ କ୍ଷମତାକୁ ଆସିଲେ ଜାତିଭିତ୍ତିକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ଏଯାବତ୍ କରିନାହାନ୍ତି ।

4,590

କନକ ବ୍ୟୁରୋ: ରାଜ୍ୟ ବିଧାନସଭାରେ ଐତିହାସିକ ନିଷ୍ପତ୍ତି । ପାରିତ ହେଲା ଓଡ଼ିଶା ପଛୁଆ ବର୍ଗ କମିଶନ ବିଲ୍ ୨୦୨୦ । ପଛୁଆ ବର୍ଗଙ୍କୁ ଅଧିକ ଫୋକସ୍ ଦେଇ କିଛିଦିନ ପୂର୍ବେ ରାଜ୍ୟ ସରକାର ଓବିସି କମିଶନ୍ ଗଠନ କରିଥିବା ବେଳେ ଆଜି ଏସଂକ୍ରାନ୍ତୀୟ ବିଲ ପାରିତ କରିଛନ୍ତି । ଏହାର ମୂଳ ଲକ୍ଷ୍ୟ ରାଜ୍ୟରେ ଥିବା ପଛୁଆବର୍ଗଙ୍କର ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ ସର୍ଭେ କରିବା ।

ବିଧାନସଭାର ବଜେଟ୍ ଅଧିବେଶନରେ ଏହି ବିଲ୍ ପାରିତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୧୯୩୧ ମସିହାରେ ଶେଷ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯାଇଥିଲା । ଏହାପରେ ୨୦୧୧ ଏସଇସିସି ସର୍ଭେରେ ଓବିସି ତଥ୍ୟ ସଂଗ୍ରହ କରାଯାଇଥିଲେ ବି ତଥ୍ୟ ସାମ୍ନାକୁ ଅଣାଯାଇ ନଥିଲା । ଏପରିକି ବର୍ତ୍ତମାନର ବିଜେପି ସରକାର ୨୦୧୩ରେ କଂଗ୍ରେସକୁ ଏନେଇ ସମାଲୋଚନା କରିଥିଲା । ଆଉ କ୍ଷମତାକୁ ଆସିଲେ ଜାତିଭିତ୍ତିକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ଏଯାବତ୍ କରିନାହାନ୍ତି ।

ସେହିପରି ୨୦୧୮, ଅଗଷ୍ଟ ୩୧ରେ ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂ ୨୦୨୧ ଜନଗଣନା ନେଇ ସମୀକ୍ଷା କରିବାବେଳେ ଓବିସିଙ୍କ ତଥ୍ୟ ପ୍ରକାଶ କରାଯିବ ବୋଲି ନିଷ୍ପତି ନେଇଥିଲେ ମଧ୍ୟ ସେ ଚୁପ୍ ରହିଗଲେ । ଏସବୁ ବାଦ୍ ଓଡ଼ିଶା ସରକାର ଚଳିତ ଜାନୁଆରୀରେ ୨୦୨୧ ଜନଗଣନାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ପତ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ଏପରିକି ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଜେଡି ସାଂସଦ ମାନେ ଏନେଇ ବାରମ୍ବାର ସ୍ୱର ଉଠାଇଚାଲିଛନ୍ତି । ହେଲେ କେନ୍ଦ୍ର ଏନେଇ ନକରାତ୍ମକ ଆଭିମୁଖ୍ୟ ଦେଖାଇବା ପରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଆଗକୁ ବଢିବାକୁ ନିର୍ଣ୍ଣୟ କରିଛନ୍ତି ।

ଏପଟେ ରାଜ୍ୟ ବିଧାନସଭାରେ ନବୀନ ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍ । ସାରା ଦେଶକୁ ଚକିତ କଲା ଭଳି ପଛୁଆବର୍ଗଙ୍କୁ ଅଧିକ ଫୋକସ୍ ଦେଇ ୧୯୯୩ ପଛୁଆ ବର୍ଗ ଆଇନରେ ସଂଶୋଧନ କରି ଓଡ଼ିଶା ପଛୁଆବର୍ଗ କମିଶନ ବିଲ୍ ୨୦୨୦ ପାରିତ କରିଛନ୍ତି । ଯାହାଦ୍ୱାରା ଏହି କମିଶନ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ଦିଗ ନେଇ ସର୍ଭେ କରିବ । ତେବେ ଯାହାକୁ ନେଇ ଦୀର୍ଘ ୧୯୩୧ ମସିହାରୁ ଏଯାବତ୍ ଅପେକ୍ଷା କରି ରହିଥିଲେ ପଛୁଆବର୍ଗର ଲୋକେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିବାକୁ ଯାଉଛନ୍ତି । ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଅଧିକାର ମିଳିବ ସେନେଇ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

ତେବେ ବଡ କଥା ହେଉଛି, କମିଶନଙ୍କ ଗଣନା ପରେ ଏହାରି ଆଧାରରେ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେବେ କି ନାହିଁ? ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ଏହା ସବୁଠାରୁ ବଡ ମୁଦ୍ଦା ହେବାର ଅନୁମାନ କରାଯାଉଛି । କାରଣ କମିଶନଙ୍କ କାର୍ଯ୍ୟକାଳକୁ ୩ ବର୍ଷ ରଖାଯାଇଥିବା ବେଳେ ଯେଉଁ ରିପୋର୍ଟ ଆସିବ, ତାରି ଆଧାରରେ ରାଜ୍ୟ ସରକାର ବଡ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହୁଛି ।