ପ୍ରଥମ ଦିନରୁ ଉଠିଲା ପଡିଲା ବିଧାନସଭା । ଶୀତ ଅଧିବେସନରେ ଗୃହରେ ଦେଖିବାକୁ ମିଳିଲା ବିରୋଧୀଙ୍କ ତାତି, ବାରମ୍ବାର ଗୃହ ମୁଲତବୀ କଲେ ବାଚସ୍ପତି । 

181

କନକ ବ୍ୟୁରୋ : ପ୍ରଥମରୁ ଗରମ ହେଲା ଶୀତ ଅଧିବେଶନ । ପରିସ୍ଥିତି ଏପରି ହେଲା, ଯେ ଦିନ ତମାମ ବିଧାନସଭା ବାରମ୍ବାର ମୁଲତବୀ ହେଲା । ବିରୋଧୀଙ୍କ ଦାବି ଥିଲା, ପ୍ରଶ୍ନକାଳ ବାତିଲ କର, ଏବଂ ନାରୀ ନିର୍ଯାତନା ଉପରେ ଆଲୋଚନା କର ।  କିନ୍ତୁ ବାଚସ୍ପତି ଚାହୁଁଥିଲେ, ପ୍ରଶ୍ନକାଳ ପରେ ଆଲୋଚନା ହେଉ । ଆଉ ଏହାକୁ ନେଇ କଥା ବଢିବାରେ ଲାଗିଲା । ପରିସ୍ଥିତି ଏପରି ହେଲା, ଯେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାନସଭା ପୁରା ବନ୍ଦ ରହିଲା । ଏହାପରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେଲା କିନ୍ତୁ ସବୁଦଳ ନିଜ ନିଜ ଜିଦରେ ଅଟଳ ଥିଲେ । ଯେଉଁଥିପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଶୀତ ଅଧିବେଶନ ଆରମ୍ଭରୁ ସରଗରମ ହୋଇଛି ବିଧାନସଭା । ତେବେ ଅଧିବେଶନ ଆରମ୍ଭରୁ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ‘ଆପଣମାନେ ଖୁସି ତ’- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଲୋକପ୍ରିୟ ସ୍ଲୋଗାନକୁ ନିଜ ଷ୍ଟାଇଲରେ ଦୋହରାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ମୁଖ୍ୟମନ୍ତ୍ରୀ ମଧ୍ୟ ହାଲୁକା ମିଜାଜରେ ଏହାର ଉତରରେ କହିଥିଲେ ସେ ବହୁତ ଖୁସି ।  ଏପରି ହସଖୁସି କିନ୍ତୁ ବେଶୀ ସମୟ ଚାଲିପାରିନଥିଲା । ପ୍ରଶ୍ନ-ଉତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ସବୁକିଛି ବାତିଲ କରି ନାରୀ ନିର୍ଯାତନା-ବିଶେଷ କରି ସ୍ମିତାରାଣୀ ମାମଲାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଉଭୟ କଂଗ୍ରେସ ଓ ବିଜେପି ଦାବି କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ ଦଳ । ହୋହଲ୍ଲା ଓ ନାରାବାଜି ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଅପରାହ୍ଣ ୩ଟାରେ ଗୃହ ଆରମ୍ଭ ହେବା ପରେ ବିଧାନସଭାରେ ବିଧାୟକଙ୍କ ଆଚରଣ ନେଇ ବାଚସ୍ପତିଙ୍କ ଚିଠି ଏବଂ ନାରୀ ନିର୍ଯାତନା ଆଲୋଚନା ଦାବିରେ ପୁଣି ହଟ୍ଟଗୋଳ ଆରମ୍ଭ କରିଥିଲେ ବିରୋଧୀ । ଗୃହ ଅଶାନ୍ତି ହୋଇପଡ଼ିବା ପରେ ଅପରାହ୍ଣ ୪ଟା ୪୨ ଯାଏଁ ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତେବେ ଏହା ପରେ ବି ସ୍ୱାଭାବିକ ହୋଇ ପାରିନଥିଲା ବିଧାନସଭା । ସର୍ବଦଳୀୟ ବୈଠକର ନିଷ୍ପତିକୁ ଗୃହରେ ବାଚସ୍ପତି ଜଣାଇବାକୁ ଦାବି କରି ଗୃହ ମଧ୍ୟଭାଗରେ ଧାରଣା ଦେବା ସହ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ବିଜେପି ବିଧାୟକମାନେ ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲେ । ପରିସ୍ଥିତିରେ ସୁଧାର ନଆସିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରି ଦେଇଥିଲେ ବାଚସ୍ପତି ।

ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ଗୃହରେ ଆଗତ କରିଥିଲେ ଅର୍ଥମନ୍ତ୍ରୀ । ଆଉ ଏହାସହ ବିରୋଧୀଙ୍କ ଧାରଣା ଓ ହୋହଲ୍ଲା ଭିତରେ ଶେଷ ହୋଇଥିଲା ଶୀତ ଅଧିବେଶନର ପ୍ରଥମ ଦିନ ।