ଅମରନାଥ ଯାତ୍ରା ପରେ ହେବ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଘୋଷଣା କଲେ ନିର୍ବାଚନ କମିଶନ

81

ଅମରନାଥ ଯାତ୍ରା ପରେ ହେବ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ନିର୍ବାଚନ ଆୟୋଗ ଏନେଇ ଆଜି ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୧ ଜୁଲାଇରୁ ଆରମ୍ଭ ହେଉଛି । ପାଖାପାଖି ଦେଢ ମାସ ତଥା ୪୬ ଦିନ ଚାଲିବ ଅମରନାଥ ଯାତ୍ରା । ୧୫ ଅଗଷ୍ଟରେ ଅମରନାଥ ଯାତ୍ରା ଶେଷ ହେବା ପରେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ମିଳିଥିବା ସୂଚନା ମୁତାବକ ଚଳିତବର୍ଷ ଶେଷ ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ତେବେ ସେତେବେଳ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ପକ୍ଷରୁ ଜମ୍ମୁ-କାଶ୍ମୀରର ସ୍ଥିତି ଉପରେ ଲଗାତାର ଦୃଷ୍ଟି ରଖାଯିବ । ସମସ୍ତ ପକ୍ଷର ଅନୁମତି ନିଆଯିବା ସହ ଅମରନାଥ ଯାତ୍ରା ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ନେଇ ସ୍ପଷ୍ଟ କରାଯାଇଛି । ତେବେ ଚଳିତବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଜଣାପଡିଛି ।

ଜମ୍ମୁ-କାଶ୍ମୀରରେ ଗତ ଥର ୨୦୧୪ ନଭେମ୍ବରରେ ନିର୍ବାଚନ ହୋଇଥିଲା । ତେବେ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା । ମୋଟ ୮୭ ସିଟ୍ ମଧ୍ୟରୁ ପିଡିପି ୨୮ଟି ସିଟ୍, ବିଜେପି ୨୫ ସିଟ୍, ନ୍ୟାସନାଲ କନଫରେନ୍ସ ୧୫ ସିଟ୍, କଂଗ୍ରେସ ୧୨ ସିଟରେ ବାଜି ମାରିଥିଲା । ତେବେ ଅନ୍ୟଦଳ ୪ଟି ସିଟ୍ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ । ତେବେ ପିଡିପି ସହ ମିଶି ବିଜେପି ଜମ୍ମୁ-କାଶ୍ମୀରରେ ସରକାର ଗଠନ କରିଥିଲା ଓ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ୨୦୧୮ରେ ବିଜେପି ସରକାରରୁ ସମର୍ଥନ ଫେରାଇ ନେବା ପରେ ପିଡିପି ସରକାର ଭାଙ୍ଗିଥିଲା । ଏହାପରଠାରୁ ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି ।