ମୋହରା ବନିଲେ ମନ୍ତ୍ରୀ

23

ମନ୍ତ୍ରୀ ସଂଜୟ ଦାସବର୍ମା । ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନି ଜଣଙ୍କୁ ନେଇ ବଜେଟ୍ ଅଧବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ରହିଲା ସରଗରମ । ଯେଉଁଠି ପାଜେରୋ ଲିଙ୍କ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବହିଷ୍କାର ଦାବି କଲା, ବ୍ୟାପମ ଦୁର୍ନୀତିକୁ ମୁଦ୍ଦା କଲା ବିଜେଡି । ଦାବି କଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ଏପରି ଅସ୍ୱାଭାବିକ ଢଙ୍ଗରେ ବିଧାନସଭା ଆରମ୍ଭ ହେବାରୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ବ୍ୟାପମ ଦୁର୍ନୀତିରେ ଧର୍ମେନ୍ଦ୍ରଙ୍କୁ ସମନ୍ ଜାରି ହୋଇ ନଥିବା ସଫେଇ ଦେଲା ବିଜେପି । ହେଲେ ପାଜେରୋ ପ୍ରସଙ୍ଗରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ସିବିଆଇ ନୋଟିସ୍ ହୋଇଥିବାରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ ବୋଲି ବିଜେପି ଯୁକ୍ତି ବାଢିଲା । ଅନ୍ୟପଟେ ବିଜେଡିର ଯୁକ୍ତି, ବିଚାରାଧୀନ ପାଜେରୋ ପ୍ରସଙ୍ଗ ।

ଆରମ୍ଭରୁ ହି ବିରୋଧୀ ଦଳ ଚିଟଫଣ୍ଡ ସଂପର୍କରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆଣିଥିଲା । ଯାହାକୁ ଅଗ୍ରାହ୍ୟ କଲେ ବାଚସ୍ପତି । ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କ ଚିଟଫଣ୍ଡ ଲିଙ୍କ ପ୍ରସଙ୍ଗରେ କଂଗ୍ରେସର ନୈତିକତାକୁ ପ୍ରଶ୍ନ କଲା ବିଜେଡି ।

ଅପରାହ୍ନରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେଲା । ହେଲେ ଚିଟଫଣ୍ଡ ସଂପର୍କରେ ଆଲୋଚନା ନ ହେବାରୁ ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କଲେ । ଏପରି ସ୍ଥିତିରେ ଗୃହ କାର୍ଯ୍ୟ କିପରି ପରିଚାଳନା ହୋଇ ପାରିବ, ତାହା ବାଚସ୍ପତିଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ରହିବ ।