ଟ୍ରଫି ପାଇଁ ଟାର୍ଗେଟ ୨୨୩ । ଭାରତୀୟ ବୋଲରଙ୍କ ଜବରଦସ୍ତ କମବ୍ୟାକ, ୨୨୨ ରନରେ ପ୍ୟାଭିଲିୟନ ଫେରିଲା ପୂରା ବାଂଲାଦେଶ ଟିମ୍

39

କନକ ବ୍ୟୁରୋ : ଟ୍ରଫି ହାତେଇବା ପାଇଁ ଟାର୍ଗେଟ ୨୨୩ । ଏସିଆ କପର ୭ମ ଟାଇଟଲ ହାସଲ କରିବା ପାଇଁ ୨୨୩ ରନ ଦୂରରେ ରହିଛି ଭାରତ । ଏସିଆ କପ ଫାଇନାଲ ଟ୍ରଫି ହାତେଇବା ପାଇଁ ଭାରତ ସାମ୍ନାରେ ୨୨୩ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ମାତ୍ର ୨୨୨ ରନରେ ବାଂଲାଦେଶର ସମସ୍ତ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ଭାରତୀୟ ଧୂରନ୍ଧର ବୋଲର । ଆଉ ଏହାସହ ଫାଇନାଲରେ ବାଂଲାଦେଶକୁ ମାତ୍ ଦେଇ ଆଉ ଏକ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । କିନ୍ତୁ ରୋହିତଙ୍କ ଏହି ନିଷ୍ପତିକୁ ଭୁଲ ପ୍ରମାଣିତ କରିଥିଲେ ବାଂଲାଦେଶର ପ୍ରାରମ୍ଭିକ ଯୋଡି । ପ୍ରଥମରୁ ଭାରତୀୟ ବୋଲରଙ୍କୁ ନିର୍ଦ୍ଧମୁ ପ୍ରହାର କରିବା ସହ ଚାପ ପକାଇବାରେ ସକ୍ଷମ ହୋଇଥିଲେ ବାଂଲାଦେଶର ପ୍ରାରମ୍ଭିକ ଯୋଡି ଲିଟନ ଦାସ ଓ ମେହେଦି ହାସନ । ଗୋଟିଏ ପଟେ ଲିଟନ ଭାରତର ପ୍ରତ୍ୟେକ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ନିଜର ଶତକ ପୂରଣ କରିଥିଲେ । ପ୍ରଥମ ୱିକେଟରେ ୧୨୦ ରନ କରି ଦୃଢ ସ୍ଥିତିରେ ପହଞ୍ଚିଥିଲା ବାଂଲାଦେଶ ଟିମ୍ ।

ତେବେ ପ୍ରଥମ ୱିକେଟର ପତନ ପରେ ବାଂଲାଦେଶର ବ୍ୟାଟିଂ ଲାଇନ ଅପ ତାସ ଘର ପରି ଭୁଷୁଡି ପଡିଥିଲା । ଗୋଟିଏ ପଟେ ଲିଟନ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲେ ବାଂଲାଦେଶର ଅନ୍ୟ ବ୍ୟାଟସମ୍ୟାନ । ଗୋଟିଏ ପରେ ଗୋଟିଏ ୱିକେଟ ନେବା ସହ ବାଂଲାଦେଶର ରନଗତିରେ ଅଙ୍କୁଶ ଲଗାଇବା ସହ ଜବରଦସ୍ତ କମବ୍ୟାକ କରିଥିଲେ ଭାରତୀୟ ବୋଲର । ଶେଷ ଆଡକୁ ସୌମ୍ୟ ସରକାର କିଛି ଦର୍ଶନୀୟ ସଟ୍ ଖେଳିଥିଲେ ମଧ୍ୟ ବାଂଲାଦେଶ ବଡ ସ୍କୋର କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଆଉ ୨୨୨ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ବାଂଲାଦେଶ ଟିମ୍ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କେଦାର ଯାଦବ ୨ଟି ଓ ଚହଲ,ବୁମରାହା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।