ଆଶାରାମ ଜେଲରେ କରୁଥିଲେ ଅଜବ କାମ ! ପୋଲିସର ମଧ୍ୟ ବଢିଯାଉଥିଲା ଚିନ୍ତା

67

ଆଶାରାମଙ୍କୁ ଆଜୀବନ କାରାଦଣ୍ଡ । ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ଯୋଧପୁର ସ୍ୱତନ୍ତ୍ର କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ୭୭ ବର୍ଷିୟ ଆସମୁଲ ଥାଉମଲ ହରପଲାନୀ ଓରଫ ଆଶାରାମଙ୍କ ବାକି ଜୀବନ ଏବେ ଜେଲର ଚାରିକାନ୍ଥ ମଧ୍ୟରେ କଟିବ । ଆଜି ସନ୍ଧ୍ୟାରେ ଜେଲରେ ଆଶାରାମଙ୍କୁ ନୂଆ କୋଠରୀ ଓ କଏଦୀ ନମ୍ବର ଦିଆଯିବ । କିନ୍ତୁ କୁହାଯାଉଛି, ଆଶାରାମଙ୍କ ଯୋଗୁଁ ଜେଲ ମଧ୍ୟ ଏବେ ଆଶ୍ରମରେ ପରିଣତ ହୋଇଯାଇଛି ।ଜେଲ ମଧ୍ୟରେ ଆଶାରାମଙ୍କ ଏଭଳି କାର୍ଯ୍ୟକଳାପ ଜେଲ ପ୍ରଶାସନକୁ ଅଡୁଆରେ ପକାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଆଶାରାମ ୨୦୧୩ ମସିହାରୁ ଯୋଧପୁର ଜେଲରେ ବନ୍ଦ ରହିଛନ୍ତି । ଏପରିକି ଦୀର୍ଘ ୫ ବର୍ଷ ଏଠାରେ ବିନ୍ଦାସ ଜୀବନଯାପନ କରୁଛନ୍ତି ଆଶାରାମ । କିଛି ଦିନ ପୂର୍ବରୁ ଆଶାରାମଙ୍କ ଜେଲ ଭିତରର ଏକ ପୁରୁଣା ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଆଶାରାମ ଜେଲ ଭିତରେ ଗୀତ ଗାଇବା ସହ ତାଳି ବଜାଉ ଥିବାର ନଜରକୁ ଆସିଥିଲେ । ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଆଶାରାମ ବେଳେବେଳେ ଏଭଳି କିଛି କରିଥାନ୍ତି ଯାହା ଜେଲ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଯାଏ । ବୁଲିବା ସମୟରେ ବେଳେବେଳେ ଅଚାନକ ଭଜନ ଗାଇବା ସହ ତାଳି ମାରିଥାନ୍ତି ଆଶାରାମ ।

ଏହାଛଡା ଆଶାରାମଙ୍କ ପାଇଁ ଖାଇବା ଆଶ୍ରମରୁ ଆସିଥାଏ । ଏପରିକି ଜେଲରେ ଥିବା କଏଦୀଙ୍କୁ ଆଶାରାମ ଚକୋଲେଟ ଓ ଡାଇଫ୍ରୁଟ ପ୍ରସାଦ ଭାବରେ ଦେଇଥାନ୍ତି । ଯେତେବେଳେ ଆଶାରାମ ଜେଲ ଯାଇଥିଲେ ତାଙ୍କ ସମର୍ଥକ ମାନେ ଦୁଇ ବର୍ଷ ଧରି ସହରର ବିଭିନ୍ନ ସ୍ଥାନରେ ଉତ୍ପାତ କରିବା ସହ ଧାରା ୧୫୧ ଅନୁଯାୟୀ ଜାଣିଶୁଣି ଜେଲ ଯାଉଥିଲେ । ଆଶାରାମଙ୍କ ସହ ଅଭଦ୍ରାମୀ କରୁଥିବା କଏଦୀଙ୍କୁ ମାଡ ମଧ୍ୟ ମାରୁଥିଲେ । ଏହି ଖବର ଜଣାପଡିବା ପରେ ଆଶାରାମଙ୍କ ସମର୍ଥକଙ୍କୁ ଜେଲ ପଠାଇବା ବନ୍ଦ କରିଦେଇଥିଲା ପୋଲିସ ।ଯାହା ଦର୍ଶାଉଥିଲା ଆଶାରାମଙ୍କ ପାଇଁ ସମର୍ଥକ ମାନେ କେତେ ପାଗଳ । ତେଣୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ଆଶାରାମଙ୍କୁ ଅନ୍ୟ କଏଦୀଙ୍କ ଠାରୁ ଅଲଗା ରଖାଯାଇଛି ।