ପେଡ଼ି ଭିତରୁ କ’ଣ ଖୋଲିବେ ଜେଟଲୀ ? ଆସନ୍ତା ଫେବୃୟାରୀ ୧ରେ ସଂସଦରେ ଉପସ୍ଥାପନ ହେବ ୨୦୧୯ ଅନ୍ତରୀଣ ବଜେଟ୍ ।

133

କନକ ବ୍ୟୁରେ: ଆସନ୍ତା ଫେବୃୟାରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହେବ ଚଳିତ ଆର୍ଥିକର ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ ୨୦୧୯ର ଅନ୍ତରୀଣ ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରିବେ । ସଂସଦୀୟ ବ୍ୟାପାରକୁ ନେଇ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଏହି ବଜେଟ୍ ଅଧିବେଶନ ଚାଲିବ । ତେବେ ଜେଟଲୀଙ୍କ ପେଡ଼ି ଭିତରେ ନିର୍ବାଚନ ପୂର୍ବରୁ କ’ଣ ସବୁ ବାହାରିବ ତାକୁ ନେଇ ବଢୁଛି ସସପେନ୍ସ ।

ସେପଟେ ଅର୍ଥ ମନ୍ତ୍ରଣାଳୟ ୨୦୧୯ ପାଇଁ ଅନ୍ତରୀଣ ବଜେଟ୍ ପ୍ରସ୍ତୁତ କରିବାର କାମ ଆରମ୍ଭ କରିଦେଇଥିବା ସୂତ୍ରରୁ ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରର ଏହା ହେଉଛି ଶେଷ ବଜେଟ୍ । ତେଣୁ ମନ୍ତ୍ରଣାଳୟ ବଜେଟ୍ ଭାଷଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିଜର ରାୟ ଦେଇ ସାରିଥିବା ସୁଚନା ମିଳିଛି ।

ତେବେ ଆସନ୍ତା ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ ଉପସ୍ଥାପନ କରିବେ । ସୂଚନା ମୁତାବକ ଏହି ବଜେଟ୍ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ କରାଯିବ। ପୂର୍ବରୁ ମୋଦୀ ସରକାର ୨୦୧୭ର ରେଳ ବଜେଟ୍ ଓ ସାଧାରଣ ବଜେଟକୁ ଅଲଗା ଅଲଗା ଉପସ୍ଥାପନ କରିବାର ପରମ୍ପରାକୁ ସମାପ୍ତ କରିଥିଲେ । ଏବେ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଗୋଟିଏ ସଙ୍ଗେ ଉପସ୍ଥାପନ ହେଉଛି । ଏହି ବଜେଟ୍ ଉପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳଙ୍କର ନଜର ରହିଛି ।