ଜେଟଲୀଙ୍କ ଟାର୍ଗେଟରେ ରାହୁଲ୍ । କହିଲେ, ଜାତିସଂଘ ସୁରକ୍ଷାପରିଷଦ ସିଟ୍ ଭାରତ ପରିବର୍ତ୍ତେ ବେଜିଂ ପାଇଁ ଛାଡ଼ିଦେଇଥିଲେ ନେହରୁ

କଂଗ୍ରେସ ଅଧ୍ୟକ୍ଷ କହିବେ କି ଦୋଷୀ ପ୍ରଧାନମନ୍ତ୍ରୀଙ୍କ ନାମ ।

186

କନକ ବ୍ୟୁରୋ: ସୁରକ୍ଷା ପରିଷଦରେ ଚୀନକୁ ସ୍ଥାନ ଓ କାଶ୍ମୀର, ଉଭୟ ପ୍ରସଙ୍ଗ ପାଇଁ କେବଳ ନେହରୁ ହିଁ ଦାୟୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜିନପିଙ୍ଗଙ୍କୁ ଡରୁଥିବା ଜଣେ ଭୀରୁ ବ୍ୟକ୍ତି କହିବା ପରେ କିଛି ଏଭଳି ଶବ୍ଦରେ ଜବାବ୍ ରଖିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀ କହିଛନ୍ତି ନେହରୁଙ୍କ ଯୋଗୁ ଚୀନ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇଥିଲା । ସେହିପରି କାଶ୍ମୀର ସମସ୍ୟ ପାଇଁ ମଧ୍ୟ ଜବାହରଲାଲ୍ ନେହରୁ ଦାୟୀ ବୋଲି କଂଗ୍ରେସକୁ ଆକ୍ଷେପ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଚୀନ ଓ କାଶ୍ମୀର ସମସ୍ୟା ପାଇଁ କିଏ ଦାୟୀ ? ନେହରୁଙ୍କ ନାଁ ନେବେ କି ରାହୁଲ ଗାନ୍ଧୀ ? କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ଅରୁଣ ଜେଟଲୀ ।  ଜେଟଲୀ କହିଛନ୍ତି :- ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ନିଶ୍ଚିତ ଥିବା ବେଳେ ନେହରୁ ଭାରତ ନୁହଁ ଚୀନର ପକ୍ଷ ନେଇଥିଲେ । କାଶ୍ମୀର, ଚୀନ ଉଭୟ ପ୍ରସଙ୍ଗରେ ଜଣେ ବ୍ୟକ୍ତି ହିଁ ମୂଳତଃ ଦୋଷୀ । ୧୯୫୫ ଅଗଷ୍ଟ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ନେହରୁ ଲେଖିଥିବା ଚିଠିରୁ ସ୍ପଷ୍ଟ ହେଉଛି ଯେ ଜାତିସଂଘରେ ଚୀନକୁ ନେବା ପାଇଁ ଓ ସୁରକ୍ଷା ପରିଷଦରେ ଚୀନ ବଦଳରେ ଭାରତକୁ ନେବାପାଇଁ ଆମେରିକା କହିଥିଲା । ତେବେ ସେତେବେଳେ ନେହରୁ କହିଥିଲେ ଚୀନ ଭଳି ମହାନ ଦେଶ ସୁରକ୍ଷା ପରିଷଦରେ ନ ରହିବା ବେଇମାନି ହେବ । କଂଗ୍ରେସ ଅଧ୍ୟକ୍ଷ କହିବେ କି ଏହି ଦୁଇଟି ଯାକ ଘଟଣାରେ ମୂଳ ଦୋଷୀ କିଏ ଥିଲେ ?

ମାସୁଦ୍ ଆଝାରକୁ ମୁକୁଳାଇବା ପଛରେ ବାଜପେୟୀ ସରକାରଙ୍କ ଆଡ଼କୁ ବାରମ୍ବାର ଈଶାରା କରୁଥିବା କଂଗ୍ରେସକୁ ଅରୁଣ ଜେଟଲୀ ନେହରୁଙ୍କ କଥା କହି ଅତୀତର କଥା ମନେ ପକାଇ ଦେଇଛନ୍ତି । ଆଉ ଏହି ପ୍ରସଙ୍ଗକୁ ନେଇ ତେଜିବାରେ ଲାଗିଛି ରାଜନୀତି ଓ ଆରମ୍ଭ ହୋଇଯାଇଛି ଆରୋପ୍ ପ୍ରତ୍ୟାରୋପ୍ ।

ପୂର୍ବରୁ ରାହୁଲ୍ କହିଥିଲେ ଦୁର୍ବଳ ମୋଦି ଜିନପିଙ୍ଗଙ୍କୁ ଭୟ କରୁଛନ୍ତି । ଯେବେ ବି ଚୀନ ଭାରତ ବିରୁଦ୍ଧରେ ପଦକ୍ଷେପ ନିଏ ମୋଦିଙ୍କ ପାଟିରୁ ଶବ୍ଦଟିଏ ବି ବାହାରେ ନାହିଁ । ଆଉ ଏହାର ଜବାବରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସକୁ ମନେ ପକାଇଦେଇଛନ୍ତି ନେହରୁଙ୍କ ସମୟର ସେହି ପୁରୁଣା କଥା । ମାସୁଦକୁ ନେଇ ବଢ଼ିବାରେ ଲାଗିଛି ବୟାନବାଜୀ, ସେପଟେ ଜୈସେ ମହମ୍ମଦ ମୁଖ୍ୟ ମାସୁଦ ଆଝାର୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ଭିନ୍ନ ବାଟ ଗ୍ରହଣ କରିବାକୁ ଜାରି ରଖିଛି ଉଦ୍ୟମ ।