୬୨ ବର୍ଷରେ ପାଦ ଥାପିଲେ ଟେଲିଭିଜନ୍ ଧାରାବାହିକର ଭଗବାନ । କଳାକାରଙ୍କ ନିଚ୍ଛକ ଅଭିନୟ ଆଗରେ ଆଜି ବି ଫିକା ପଡିଛନ୍ତି ଅନ୍ୟ ଅଭିନେତା । 

1,065

ବଲିଉଡ୍ ର ବରିଷ୍ଠ ଅଭିନେତା ଅରୁଣ ଗୋବିଲ୍ ଛୋଟ ଏବଂ ବଡ଼ ପରଦାରେ ନିଜ ନିଚ୍ଛକ ଅଭିନୟର ପରାକାଷ୍ଠା ଦେଖାଇ ସମସ୍ତଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି । କିନ୍ତୁ ନିଜ କ୍ୟାରିୟରର ଗୋଟିଏ ଧାରାବାହିକରେ ସେ ଏଭଳିି କାମ କଲେ ଯେ ତାହା ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ମୋଡ ବଦଳାଇଦେଲା । ଏହି ଧାରାବାହିକର ନାଁ ଥିଲା ରାମାୟଣ । ରାମାୟଣରେ ତାଙ୍କ ଅଭିନୟ ଏଭଳି ଥିଲା ଯେ ଲୋକମାନେ ତାଙ୍କୁ ସତସତିକା ମର୍ଯ୍ୟାଦା ପୁରୁଷ ଶ୍ରୀରାମ ବୋଲି ଭାବୁଥିଲେ । ୧୯୮୭ ରେ ଆରମ୍ଭ ହୋଇଥିବା ଏହି ଧାରାବାହିକ ୧୯୮୮ ରେ ଚ୍ୟାନେଲ୍ ରେ ପ୍ରସାରିତ ହେଲା । ଏହାପରେ ବିଭିନ୍ନ ଭାଷାରେ ଅଲଗା ଚ୍ୟାନେଲ୍ ମାନଙ୍କରେ ରାମାୟଣକୁ ପ୍ରସାରଣ କରାଗଲା । ଅଭିନେତା ଅରୁଣ ଗୋବିଲ୍ ଙ୍କ ପରେ ବିଭିନ୍ନ ରାମାୟଣ ଧାରାବାହିକରେ ନୂଆ ଚେହେରା ଦେଖିବାକୁ ମିଳିଥିଲେ ହେଁ ଏପର୍ଯ୍ୟନ୍ତ କିଏ ଅରୁଣଙ୍କୁ ଫିକା କଲା ଭଳି ଅଭିନୟ କରିପାରିନାହାନ୍ତି । ଜାନୁଆରୀ ୧୨ , ୧୯୫୮ ଉତ୍ତରପ୍ରଦେଶର ମେରଠରେ ଜନ୍ମିତ ଅରୁଣଙ୍କ ଅଭିନୟ ଶ୍ରୀରାମଙ୍କ ଚରିତ୍ରକୁ ଜୀବନ୍ତ କରିଥିଲା । ସହରଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଟି.ଭିରେ ରାମାୟଣ ଆରମ୍ଭ ହେବା ମାତ୍ରେ ସମସ୍ତେ ଚପଲ ବାହାର କରି ତଳେ ହାତଯୋଡି ବସି ରାମାୟଣ ଦେଖୁଥିଲେ । 

ରାମାୟଣ ପରେ ଅରୁଣ ବସେରା , ଏହସାସ୍ , ମଶାଲ୍ , କାରାବାସ୍ ,ମୃତ୍ୟୁଞ୍ଜୟ ଏବଂ ଅନ୍ତରାଳ ଭଳି ଧାରାବାହିକରେ ନଜର ଆସିଥିଲେ । ବଡ଼ ପରଦାରେ ମୁକାବଲା , କାନୁନ୍ ଏବଂ ଢାଲ୍ ଭଳି ସିନେମାରେ ସେ ଅଭିନୟ କରିଥିଲେ । କିନ୍ତୁୁ ଶ୍ରୀରାମଙ୍କ ଛବି ତାଙ୍କ ଜୀବନ ସହ ଜଡିତ ହୋଇ ରହିଥିଲା । ଆଜି ଅରୁଣ ଗୋବିଲଙ୍କ ୬୨ ତମ ଜନ୍ମଦିନ । ଅରୁଣ ଗୋବିଲ୍ ଙ୍କୁ ପୁନଶ୍ଚ ଶ୍ରୀରାମଙ୍କ ରୁପରେ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କଥା ଉଠିଥିଲା । ଗତବର୍ଷ ଦିଲ୍ଲୀରେ ଏକ ନାଟକର ଆୟୋଜନ ହୋଇଥିଲା ଯେଉଁଥିରେ ଅରୁଣ ଶ୍ରୀରାମଙ୍କ ବେଶରେ ନଜର ଆସିଥିଲେ । ଏହି ନାଟକକୁ ଦେଖିବା ପାଇଁ ଲୋକଙ୍କ ନାହିନଥିବା ଭିଡ଼ ପହଁଚିଥିଲା , ଖାଲି ଏତିକି ନୁହଁ ନାଟକର ପୋଷ୍ଟର ମଧ୍ୟ ଖୁବ୍ ସୁନ୍ଦର ହୋଇଥିଲା ।