ବରଫପାତ ଭିତରେ କଷ୍ଟ ପାଉଥିବା ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ହୋଇ ଆସିଲେ ୧୦୦ ଯବାନ : ବରଫ ପାହାଡରେ ୪ ଘଣ୍ଟା ଚାଲି ପହଁଚିଲେ ହସ୍ପିଟାଲ୍ , ପ୍ରଧାନମନ୍ତ୍ରୀ କଲେ ସଲାମ୍ ।

346

ଜମ୍ମୁ-କାଶ୍ମୀରରେ ଭୀଷଣ ବରଫପାତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଧାରଣ ସେବା ପାଇଁ ବି ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଲୋକଙ୍କ ଏହି ସଂଘର୍ଷପୂର୍ଣ୍ଣ ସମୟରେ ଭାରତୀୟ ସେନା ଛାଇ ଭଳି ଲୋକଙ୍କ ସାଙ୍ଗରେ ରହି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ଏହାର ଉଦାହରଣ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ୍ ନେବା ପାଇଁ ଯବାନ ଘଣ୍ଟା ଘଣ୍ଟା ଧରି ବରଫରେ ଚାଲିଥିଲେ ।

ଆପଣଙ୍କୁ କହିରଖୁଛୁ ହିମସ୍ଖଳର ଆକ୍ରୋଶରେ ଆସି ଗତ ୪ ବର୍ଷ ଭିତରେ ୭୪ ଜଣ ଭାରତୀୟ ଯବାନ ସହିଦ୍ ହୋଇଗଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଯବାନଙ୍କ ଏଭଳି କାର୍ଯ୍ୟକୁ ଦେଖି ଖୁବ୍ ପ୍ରଶଂସା କରିଛନ୍ତି । ଭାରତୀୟ ସ୍ଥଳସେନାର ଚିନାର୍ କାର୍ପସ୍ କୁ ସୂଚନା ଦିଆଗଲା ଯେ ବରଫପାତ କାରଣରୁ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ୍ ନେବା କଷ୍ଟକର ହୋଇପଡୁଛି । ସମୀମା ନାମକ ଏହି ମହିଳାଙ୍କୁ ହସ୍ପିଟାଲ୍ ନେବା ପାଇଁ ଭାରତୀୟ ସେନାର ୧୦୦ ରୁ ଉଦ୍ଧ୍ୱର୍ ଯବାନ ଏବଂ ୩୦ ଜଣ ସାଧାରଣ ନାଗରିକ ବରଫରେ ୪ ଘଣ୍ଟା ଚାଲି ହସ୍ପିଟାଲ୍ ପହଁଚିଥିଲେ । ଷ୍ଟ୍ରେଚରରେ ସମୀମାଙ୍କୁ ବୁହା ହୋଇ ଡାକ୍ତରଖାନା ପହଁଚା ଯାଇଥିଲା ।

ସମୀମାଙ୍କ ପ୍ରସବ ଡାକ୍ତରଖାନାରେ ହେଲା ଏବଂ ସେ ଶିଶୁପୁତ୍ରକୁ ଜନ୍ମ ଦେଲେ । ବର୍ତ୍ତମାନ ଉଭୟ ମା’ପୁଅ ସୁରକ୍ଷିତ ଅଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସେନା ଯବାନଙ୍କ ସାହସକୁ ସଲାମ୍ କରିଛନ୍ତି । ଗତ ୪ ବର୍ଷରେ ୭୪ ଜଣ ଯବାନ ହିମସ୍ଖଳନ ଯୋଗୁଁ ସହିଦ୍ ହୋଇଗଲେ । ୨୦୧୬ ରେ ହିମସ୍ଖଳନ ଆକ୍ରୋଶରେ ଆସି ୧୮ ଜଣ ଯବାନ ସହିଦ୍ ହୋଇଥିଲେ । ୨୦୧୭ ରେ ୩୦ ଜଣ ଏବଂ ୨୦୧୮ ରେ ୬ ଜଣ ଯବାନ ବରଫପାତ ଯୋଗୁଁ ସହିଦ୍ ହୋଇଥିଲେ । ଅନ୍ୟପକ୍ଷରେ ୨୦୧୯ ରେ ୨୦ ଜଣ ଯବାନ ପ୍ରାଣ ହରାଇଥିଲେ ।