ପୁଞ୍ଚ୍‌ ଠାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଜଣେ ସେନା ଯବାନ ସହିଦ ।

222

କନକ ବ୍ୟୁରୋ : ଶୁକ୍ରବାର ସକାଳେ ଜମ୍ମୁକଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବା କାରଣରୁ ଭାରତୀୟ ସେନା ବାହିନୀର ଜଣେ ଯବାନ ଆହତ ହୋଇ ସହିଦ ହୋଇଛନ୍ତି ।

ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ କୃଷ୍ଣା ଘାଟି ସେକ୍ଟର୍‌ ଠାରେ ଏହି ସଦ୍ୟ ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନୀ ସେନା ଗୁଳି ଚଳାଇବା ସହ ସେଲିଙ୍ଗ୍‌ ନିକ୍ଷେପ କରିଛି । ଭାରତୀୟ ସେନା ମଧ୍ୟ ଏହାର ସମୁଚ୍ଚିତ ଯବାବ ଦେଇଛି । ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ନିଶ୍ଚିତ କରି କହିଛନ୍ତି ଯେ ଜମ୍ମୁକଶ୍ମୀରର ମେନ୍ଧାର୍‌ ସବ୍‌ଡିଭିଜନ୍‌ ଅନ୍ତର୍ଗତ କେଜି ସେକ୍ଟର୍‌ ଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ସେନା ଯବାନ ସହିଦ ହୋଇଛନ୍ତି ।

ଏ ବର୍ଷ ନିୟନ୍ତ୍ରଣ ରେଖା ଅଞ୍ଚଳରେ ୨,୩୧୭ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେଲାଣି । ଏହା ଗତ ଦୁଇ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ। କେବଳ ଗତ ମାସରେ ଗତ ଦୁଇ ସେପ୍ଟେମ୍ବର ମାସ ଅପେକ୍ଷା ତିନିଗୁଣ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ସେନା ଯବାନ ଛଡ଼ା ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ସାଧାରଣ ନାଗରିକମାନଙ୍କୁ ମଧ୍ୟ ଆକ୍ରମଣ କରୁଛି।