ନେତାଙ୍କ ଭିଆଇପି ମୋହ ! ବିଜନେସ୍ କ୍ଲାସ୍ ନମିଳିବାରୁ କ୍ଷୁବ୍ଧ ବିଜେଡି ସାଂସଦ

36

କନକ ବ୍ୟୁରୋ : ସାମ୍ନାକୁ ଆସିଛି ବିଜେଡି ସାଂସଦଙ୍କ ସାମନ୍ତବାଦୀ ଆଚରଣ । ବିଜନେସ୍ କ୍ଲାସରେ ସ୍ଥାନରେ ଇକୋନୋମି କ୍ଲାସରେ ଯାତ୍ରା କରିବାକୁ ପଡିଥିବାରୁ କ୍ଷୁବ୍ଧ ଭଦ୍ରକର ସାଂସଦ ଅର୍ଜୁନ ଚରଣ ସେଠୀ । ଟିକଟର କ୍ଲାସ୍ ବା ଶ୍ରେଣୀ ଦେଖି ଏୟାର ଇଣ୍ଡିଆ କର୍ମଚାରୀଙ୍କ ସହ ଆରମ୍ଭ କରିଥିଲେ ଯୁକ୍ତିତର୍କ ଓ ଝଗଡ଼ା । ସାଂସଦଙ୍କ ଯୁକ୍ତି ଥିଲା- ସେ ପୂର୍ବରୁ ବିଜନେସ୍ କ୍ଳାସରେ ବିମାନରେ ଯାତ୍ରା କରିବା ପାଇଁ ଟିକଟ କରିଛନ୍ତି, ମାତ୍ର ତାଙ୍କୁ ଇକୋନୋମି କ୍ଲାସରେ ଯିବାକୁ କୁହାଯାଉଛି । ଯଦି ଶେଷ ମୁହୂର୍ତରେ ଫ୍ଲାଇଟ୍ ବଦଳିଗଲା ତେବେ ତାଙ୍କୁ ଆଗରୁ ଜଣାଇ ଦିଆଗଲା ନାହିଁ କାର୍ହିକି?

ସାଂସଦ ଅର୍ଜୁନ ସେଠୀ କହିଛନ୍ତି- ବିମାନ ଭିତରେ ଯାହା ଘଟିଲା, ସେ ନେଇ ବିମାନ ଚଳାଚଳ ମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବେ । ସାଂସଦମାନଙ୍କୁ ମାଗଣାରେ ବିମାନରେ ଗସ୍ତ କରିବା ପାଇଁ ବର୍ଷକୁ ୩୪ଥର ସୁଯୋଗ ମିଳିଥାଏ । ସାଂସଦ ଯେଉଁ ଶ୍ରେଣୀରେ ଗଲେ ବି ତାହା ସଂପୂର୍ଣ୍ଣ ଛାଡ଼ କରାଯିବା ସହ ତାଙ୍କ ସହଯୋଗୀଙ୍କ ପାଇଁ ବି ଏକ-ଚତୁର୍ଥାଂଶ ଦେୟ ଛାଡ଼ କରାଯାଇଥାଏ । ପ୍ରଶ୍ନ ଉଠୁଛି- ସାଂସଦଙ୍କୁ ଇକୋନୋମି କ୍ଲାସ୍ରେ ଯିବା ପାଇଁ ଅସୁବିଧା ହେଉଛି କାହିଁକି? ଲୋକ ପ୍ରତିନିଧିମାନେ ଏହାକୁ ପ୍ରସଙ୍ଗ କରୁଛନ୍ତି କାହିଁକି?

ବିମାନରେ ବିଜନେସ୍ କ୍ଳାସ୍ ଓ ଇକୋନୋମି କ୍ଳାସ୍ ମଧ୍ୟରେ ଫରକ ହେଉଛି, ବିଜନେସ୍ କ୍ଲାସ୍-ଇକୋନୋମି କ୍ଳାସ୍ଠାରୁ ଅଧିକ ମହଙ୍ଗା ଓ ଏହା ଏକ ଷ୍ଟାଟସ୍ ସିମ୍ବଲ ଭାବେ ଗଣାଯାଇଥାଏ । ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ମଧ୍ୟ ବୋଧହୁଏ ଏହି ଷ୍ଟାଟସ୍ ସିମ୍ବଲ ଅଧିକ ଆକର୍ଷିତ କରିଛି । ଯଦି ଆମ ଲୋକ ପ୍ରତିନିଧି ବିଜନେସ୍ କ୍ଲାସ୍ ଓ ଇକୋନୋମି କ୍ଳାସ୍କୁ ନେଇ ଏତେ ଅଧିକ ସମ୍ବେଦନଶୀଳ ହୁଅନ୍ତି, ତେବେ ଏମାନେ ନିଜକୁ ସାଧାରଣଲୋକଙ୍କ ପ୍ରତିନିଧି ବୋଲି ଦାବି କରିବେ କେମିତି?