ତେଜିଲା ଦାମ-ପ୍ରଶାନ୍ତ କଳି । ମଂଚ ଭଙ୍ଗା ଓ ରାବଣପୋଡି ବିବାଦକୁ ନେଇ ବଢୁଛି ଉତେଜନା, ଆଜି ଏରସମା ବନ୍ଦ

21

କନକ ବ୍ୟୁରୋ : ଏରସମାରେ ବଜାର ବନ୍ଦ ଡାକରା ଓ ପୋଡାଜଳା । ରାବଣ ପୋଡ଼ି ଉତ୍ସବ ବାତିଲ ଦାବିରେ ବାରଘରର ଲୋକେ ପୋଡାଜଳା କରିଛନ୍ତି । ରାସ୍ତାରେ ଟାୟାର ଜାଳି ବିକ୍ଷୋଭକାରୀ ଦୋକାନ ବଜାର ବନ୍ଦ କରୁଛନ୍ତି । ଏହାକୁ ନେଇ ଏରସମାରେ ଉତେଜନା ଦେଖା ଦେବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏରସମାରେ ରାବଣ ପୋଡିକୁ ନେଇ କୁହୁଳିଥିବା ରାଜନୈତିକ ବିବାଦ ଏବେ ରାଜରାସ୍ତାରେ ଜଳିଛି । ଆଜି ସଂଧ୍ୟାରେ ଏରସମାରେ ହେବାକୁ ଥିବା ରାବଣ ପୋଡି ଉତ୍ସବରେ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ବିରୋଧ କରିଛନ୍ତି ଦାମଙ୍କ ସମର୍ଥକ ତଥା ବାର ଘରର ଲୋକ । ପ୍ରଶାନ୍ତ ମୁଦୁଲିକୁ ଅଂଚଳରେ ପୁରାଇ ଦିଆଯିବ ନାହିଁ କି ରାବଣ ପୋଡି କରାଇ ଦେବେନି ବୋଲି ବାରଘରର ଲୋକେ ଚେତାବନୀ ଦେଇଛନ୍ତି ।

 

ଅନ୍ୟପଟେ ରାବଣ ପୋଡିକୁ ନେଇ ଦାମଙ୍କ ସମର୍ଥକ ଓ ପ୍ରଶାନ୍ତଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନାକୁ ଆଖିରେ ରଖି ପୁଲିସ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ତେବେ ଏହି ଘଟଣାରେ ପାରାଦୀପ ବିଧାୟକ ଡା. ଦାମଦୋର ରାଉତ କହିଛନ୍ତି ଯେ, ମୁଁ ଅନେକ ଦିନ ହେଲାଣି ସେଠାରେ ରାବଣ ପୋଡି ଉତ୍ସବରେ ଯୋଗ ଦେଉଛି । କିନ୍ତୁ ଏଥର ଅନୁମତି ନଦେବା ଆଉ ଏପରି ଏକ ସାମାଜିକ କାମରେ ପୋଲିସର ମାତ୍ରାଧିକ ପୋଲିସର ହସ୍ତକ୍ଷେପ ଆଦୌ ଶୁଭଙ୍କର ନୁହେଁ ବୋଲି ଡ. ରାଉତ କହିଛନ୍ତି ।