ଆସନ୍ତା ୨୭ରେ ବିଜେପିରେ ଯୋଗ ଦେବେ ଅପରାଜିତା ଷଡଙ୍ଗୀ! ଭୁବନେଶ୍ୱର ଦେଖିବ କି ପ୍ରଶାସକଙ୍କ ଲଢେଇ ?  

1,290

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ପଦ୍ମ ଧରିବେ ଅପରାଜିତା । ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ଅପରାଜିତା ଷଡଙ୍ଗୀ । ଏହି ମିଶ୍ରଣ ପର୍ବରେ ବିଜେପିର ତୁଙ୍ଗ ନେତା ମାନେ ସାମିଲ ହେବେ ବୋଲି ଜଣାପଡିଛି । ଏନେଇ ଅପରାଜିତାଙ୍କ ପରିବାର ପକ୍ଷରୁ କନକ ନ୍ୟୁଜକୁ ସୂଚନା ମିଳିଛି । ୨୭ ତାରିଖରେ ଦିଲ୍ଲୀରେ ପଦ୍ମ ଧରିବା ପରେ ୨୮ ତାରିଖରେ ଓଡିଶାକୁ ଫେରିବେ ବୋଲି ସୂଚନା ମିଳିଛି । ଓଡିଶାରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ପାର୍ଟି ଅଫିସକୁ ନିଆଯିବ । ତେବେ ରାଜ୍ୟ ରାଜନୀତିରେ ଅପରାଜିତା କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

APARAJITA୧୯୯୪ ବ୍ୟାଚର ଆଇଏଏସ ଅଫିସର  ଅପରାଜିତା ଷଡଙ୍ଗୀ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଅପରାଜିତା ୧୧ ବର୍ଷ ଚାକିରି ବାକି ଥିବା ବେଳେ ସ୍ୱେଚ୍ଛାକୃତ ଅବସର ନେବାକୁ  ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଆଉ  ଏହାପରେ ଅପରାଜିତାଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ କେଉଁ ଦଳରେ ଅପରାଜିତା ଯୋଗଦେବେ ତାହାକୁ ସସପେନ୍ସରେ ରଖିଥିଲେ ଏହି ପ୍ରଶାସିକା । ତେବେ  ଗତ ୧୭ ତାରିଖରେ ଅପରାଜିତା ଚାକିରିରୁ ଅବସର ନେବା ପରେ ଉଷ୍ମ ହୋଇଥିଲା ରାଜ୍ୟ ରାଜନୀତି ।

ଆଉ ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ଏବେ ପଦ୍ମ ପୋଖରୀରେ ଲମ୍ପ ମାରିବାକୁ ମନ ସ୍ଥିର କରିଛନ୍ତି ଅପରାଜିତା ।  ଯାହାକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏପରିକି ବିଜେପିରେ ଅପରାଜିତା ଯୋଗଦେଲେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ଦଳୀୟ ନେତା ମତ ଦେଇଛନ୍ତି । ତେବେ ଅପରାଜିତା ପଦ୍ମ ଦଳରେ ଯୋଗ ଦେବା କଥା ସାମ୍ନାକୁ ଆସିବା ପରେ ୨୦୧୯ରେ ରାଜ୍ୟ ରାଜନୀତିରେ ପ୍ରଶାସକଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି ।