ଅପରାଜିତା ଆସିଲେ, କାହାର ଲାଭ, କାହାର କ୍ଷତି । ଅଙ୍କ କଷୁଛି ବିଜେପି 

369

କନକ ବ୍ୟୁରୋ : ସୁଶାସନ ପାଇଁ ରାଜନୀତିକୁ ଆସିଛି, କାହା ସହ ମୋର ପ୍ରତିଦ୍ୱନ୍ଦିତା ନାହିଁ । ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଥିବା ଅପରାଜିତା ଷଡଙ୍ଗୀ କହିଛନ୍ତି, ସେ ସ୍ୱଚ୍ଛ ଓ ସକରାତ୍ମକ ରାଜନୀତି ଉପରେ ଗୁରୁତ୍ୱ ଦେବେ । ଆଜି ଭୁବନେଶ୍ୱରରେ ପହଁଚିବା ପରେ ଶୋଭାଯାତ୍ରାରେ ପ୍ରଥମେ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ନେତାଙ୍କ ଅନ୍ଦାଜରେ ଲୋକଙ୍କ ସହ ଆଲୋଚନା କରିଥିଲେ । ସେପଟେ ବିଜେପିରେ ଯୋଗ ଦେବା ପରେ ଅପରାଜିତାଙ୍କ ଭୂମିକା ନେଇ ଚାଲିଛି ଜୋରଦାର ଚର୍ଚା ।

ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ପ୍ରଶାସିକାରୁ ରାଜନେତା ପାଲଟିଥିବା ଅପରାଜିତା ଷଡଙ୍ଗୀ । ଆଉ ପ୍ରଥମ ଦିନରୁ ହିଁ ରାଜନୀତିରେ ତାଙ୍କର କଣ ଆଭିମୁଖ୍ୟ ରହିବ, ସେ ନେଇ ମତ ରଖିଛନ୍ତି । ସୁଶାସନ ପାଇଁ ରାଜନୀତିକୁ ଆସିଥିବା କହିଛନ୍ତି ଅପରାଜିତା । ସ୍ୱଚ୍ଛ ଓ ସକରାତ୍ମକ ରାଜନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ଅପରାଜିତା ।   ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଏକ ଶୋଭାଯାତ୍ରାରେ ଲିଙ୍ଗରାଜ ମନ୍ଦିର ଯାଇଥିଲେ ଅପରାଜିତା । ଲିଙ୍ଗରାଜଙ୍କ ଦର୍ଶନ ପରେ ବିନ୍ଦୁସାଗର ଯାଇଥିଲେ । ନିଜ ଅନ୍ଦାଜରେ ଲୋକଙ୍କ ସହ ଭେଟିଥିଲେ, ସେମାନଙ୍କ ସହ ସୁଖଦୁଃଖ ହୋଇଥିଲେ । ଦଳର ନିଷ୍ପତି ଅନୁସାରେ ରାଜନୀତିରେ ଚ୍ୟାଲେଂଜ ନେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଅପରାଜିତା ।

ତାଙ୍କର କାହା ସହ ପ୍ରତିଯୋଗୀତା ନାହିଁ ବୋଲି ଅପରାଜିତା କହୁଥିବା ବେଳେ ତାଙ୍କୁ ନେଇ ଚର୍ଚ୍ଚା ଆଗକୁ ବଢୁଛି । ଭୁବନେଶ୍ୱରରୁ ସେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଅପରାଜିତା ରାଜନୀତିକୁ ଆସିଲେ କିଛି ଅସୁବିଧା ହେବନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ । ଅପରାଜିତା ବିଜେପିରେ ମିଶିବା ପରେ ରାଜ୍ୟ ବିଜେପି ନେତାମାନେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି । ସେ କେଉଁ ଭୂମିକାରେ ରହିବେ? ରାଜ୍ୟ ନେତୃତ୍ୱରେ ତାଙ୍କୁ କେତେ ଗୁରୁତ୍ୱ ଦିଆଯିବ ଏ ନେଇ ଉଠୁଥିବା ଅନେକ ପ୍ରଶ୍ନର ସିଧା ଉତର ଦେଉନାହାନ୍ତି ବିଜେପି ନେତା ।

ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ଅନେକ ବଡ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ । ଦିଲ୍ଲୀରେ ଦଳର ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ  ଉପସ୍ଥିତିରେ ଗତ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି ଅପରାଜିତା । ଏବେ ଦେଖିବାର କଥା, ରାଜ୍ୟରେ ବିଜେପିର ଦୁଇଟି କ୍ଷମତା କେନ୍ଦ୍ର ସୃଷ୍ଟି ହୋଇଥିବା ନେଇ ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ହେଉଛି, ତାହା ଆଗକୁ କେଉଁ ରୁପ ନେବାକୁ ଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ କିପରି ତାଳମେଳ ରଖି ଦଳ ୨୦୧୯ ନିର୍ବାଚନକୁ ସାମନା କରୁଛି ।