କଲେଜରୁ କିଡନାପ୍ ! ଅନୁଗୁଳ ସରକାରୀ କଲେଜ ଅଧ୍ୟାପକଙ୍କୁ ଅପହରଣ କରି ମାଡ଼

36

କନକ ବ୍ୟୁରୋ : ସିସିଟିଭିରେ କଏଦ ଅନୁଗୁଳ ସରକାରୀ କଲେଜର ଦୃଶ୍ୟ । ଯେଉଁଠି ଜଣେ ଅଧ୍ୟାପକଙ୍କ କଲର ଧରି ଟାଣି ନେଉଛନ୍ତି ଛାତ୍ର । ମାଡ଼ ବି ମାରୁଛନ୍ତି । ଅଧ୍ୟାପକ ଜଣକ ହେଉଛନ୍ତି କଲେଜର ଫିଲୋସଫି ବିଭାଗର ପ୍ରଦ୍ୟୁମ୍ନ ବେଉରା । କ୍ଲାସ୍ ଭିତରୁ ଅଧ୍ୟାପକଙ୍କୁ ଉଠାଇଆଣିଛନ୍ତି ଏହି ଛାତ୍ରମାନେ । ଦିନ ଦ୍ୱିପ୍ରହରେ କ୍ୟାମ୍ପସ ଭିତରେ ଚାଲିଛି ଛାତ୍ରଙ୍କ ଗୁଣ୍ଡାଗିରି । କଲେଜର ଅନ୍ୟ ଛାତ୍ରଙ୍କ ସାମନାରେ ଅଧ୍ୟାପକଙ୍କୁ ଅପହରଣ କରିନେଉଛନ୍ତି ସଂପୃକ୍ତ ଛାତ୍ର ।

ସଂପୃକ୍ତ ଛାତ୍ରମାନେ ଅଧ୍ୟାପକଙ୍କୁ କିଡନାପ କରିବା ପରେ ମାଡ଼ ମାରି ରାସ୍ତାରେ ଛାଡି ଦେଇ ଚାଲିଯାଇଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଅଧ୍ୟାପକଙ୍କ ମୁହଁରେ ଆଘାତ ଲାଗିଛି । ସେପଟେ ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । ତେବେ କଲେଜ କ୍ୟାମ୍ପସରେ କାହିଁକି ଘଟିଲା ଏଭଳି ଘଟଣା ? କାହିଁକି ଅଧ୍ୟାପକଙ୍କୁ ଅପହରଣ କଲେ ଛାତ୍ର? କିଡନାପ୍ ପଛର କାରଣ କଣ? କୁହାଯାଉଛି, ପରୀକ୍ଷାରେ କପିକୁ କେନ୍ଦ୍ର କରି ଅଧ୍ୟାପକଙ୍କୁ ଅପହରଣ କରାଯାଇଛି । ଏପରିକି ଅପହରଣ ପଛରେ ପ୍ରେମ ବ୍ୟାପାର ଥିବା ନେଇ ବି ଚର୍ଚା ହେଉଛି । ହେଲେ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି ।