କିପରି ପାଇବେ ଆଇଏଏସ? ସବୁଠୁ ବଡ଼ ପରୀକ୍ଷା ପାଇଁ କିପରି କରିବେ ପ୍ରସ୍ତୁତି? ଏହାର ଏକ ସରଳ ଉପାୟ କହିଛନ୍ତି ଅନୁଦୀପ ଦୁରିସେଟ୍ଟୀ, ଆଇଏଏସ ଟପ୍ପର ।

37

କନକ ବ୍ୟୁରୋ: ଆଇଏଏସ୍ ହେବା ପାଇଁ ପ୍ରାୟ ସବୁ ମେଧାବୀ ଛାତ୍ରଙ୍କ ସ୍ୱପ୍ନ ରହିଥାଏ । ସେଥିପାଇଁ କିଏ କେତେ ପ୍ରସ୍ତୁତି କରନ୍ତି । ବଡ଼ ବଡ଼ ଇନଷ୍ଟିଚ୍ୟୁଟରେ କୋଚିଂ ନିଅନ୍ତି । ଗଦା ଗଦା ବହି ପଢନ୍ତି । ହେଲେ ଆଇଏଏସ ଟପ୍ପର ଅନୁଦୀପ ଦୁରିସେଟ୍ଟୀ କହିଛନ୍ତି କୋଚିଂ ନେବା ଜରୁରୀ ନୁହେଁ, କଠିନ ପରିଶ୍ରମ ଜରୁରୀ । ଗୁଗଲ ଓ ୟୁଟ୍ୟୁବରୁ ମିଳିପାରିବ ଆବଶ୍ୟକ ସୂଚନା ।

ଏହାକୁ ନେଇ ଲକ୍ଷ ଲକ୍ଷ ପିଲା ଦ୍ୱନ୍ଦ୍ୱରେ ଥିବା ବେଳେ ଏହାର ଏକ ସରଳ ଉପାୟ ବତାଇଛନ୍ତି ଅନୁଦୀପ ଦୁରିସେଟ୍ଟୀ, ଆଇଏଏସ ଟପ୍ପର । ଯାହାଙ୍କ ସଫଳତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଅନୁଦୀପ କହିଛନ୍ତି ଗୁଗଲ୍ ଓ ୟୁଟ୍ୟୁବ୍ ହିଁ ତାଙ୍କର ଗୁରୁ । କାରଣ ଗୁଗଲରେ କ୍ଲିକ୍ କଲେ ମିଳିଯାଉଛି ସବୁକିଛି ସୂଚନା । ଖବର କାଗଜ ସହ ଯାହା କିଛି ଆବଶ୍ୟକ ସବୁ ରହିଛି ଇଂଟରନେଟରେ । ଆଉ ଯେଉଁଠି ସଂଦେହ ଉପୁଜେ, ୟୁଟ୍ୟୁବରୁ ଦେଖି ସମାଧାନ ପାଇଯାଆନ୍ତି ଅନୁଦୀପ ।

ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲଜି ଆଣ୍ଡ ସାଇନ୍ସ, ପିଲାନୀରୁ ସ୍ନାତକ ପରେ ଆଇଏଏସ ପରୀକ୍ଷା ଦେଇଥିଲେ ଅନୁଦୀପ । ପଂଚମ ଥର ଉଦ୍ୟମରେ ଟପ୍ପର ହୋଇଥିବା ବେଳେ ପୂର୍ବରୁ ଆଇଆରଏସ୍ ପାଇଥିଲେ ଅନୁଦୀପ । ସେ କହିଛନ୍ତି, କୋଚିଂ ଯିବା ଜରୁରୀ ନୁହେଁ, କଠିନ ପରିଶ୍ରମ ଜରୁରୀ ।

ସେପଟେ ଓଡ଼ିଶା ଟପ୍ପର ଶୁଭଙ୍କର ମହାପାତ୍ର ମଧ୍ୟ କହିଛନ୍ତି ତାଙ୍କ ସଫଳତାର ସୁତ୍ର । କୋଚିଂ ନନେଇ ମଧ୍ୟ ସର୍ବ ଭାରତୀୟ ସ୍ତରରେ ୪୬ ସ୍ଥାନ ଅଧିôକାର କରି ସେ ପାଇଛନ୍ତି ଆଇଏଏସ୍ । ଏମବିବିଏସ୍ ପାସ କରିବା ପରେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଶୁଭଙ୍କର । ତୃତୀୟ ଥରରେ ଆଇଏଏସ ପାଇଥିବା ବେଳେ ପୂର୍ବରୁ ଆଇଆରଏସ ଓ ଆଇପିଏସ ପାଇବାକୁ ସେ ସକ୍ଷମ ହୋଇଥିଲେ ।