ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ ! ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟୀ ଟପ୍ପର, ଜାଣନ୍ତୁ କେମିତି ଜାଣିବେ ନିଜର ଫଳାଫଳ

35

କନକ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବା (ୟୁପିଏସସି)ର ୨୦୧୭ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ସମ୍ମାନଜନକ ପରୀକ୍ଷାରେ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟୀ ଟପ୍ପର ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଅନୁ କୁମାରୀ ଓ ସଚିନ ଗୁପ୍ତା । ଉଭୟ ଲିଖିତ ଓ ସାକ୍ଷାତକାର ଆଧାରରେ ଫଳାଫଳ ଘୋଷଣା କରାଯାଇଛି । ଫଳାଫଳ ଜାଣିବା ପାଇଁ ଛାତ୍ରଛାତ୍ରୀ ମାନେ upsc.gov.inରେ ଚେକ୍ କରିପାରିବେ । ୨୦୧୭ ୟୁପିଏସସିର ପରୀକ୍ଷାରେ ମୋଟ ୯୯୦ ଜଣ କୃତକାଯ୍ୟ ହୋଇଛନ୍ତି । ଯେଉଁଥିରେ ପୁରୁଷ ୭୫୦ ଓ ୨୪୦ ଜଣ ମହିଳା ରହିଛନ୍ତି ।କୃତକାଯ୍ୟ ହୋଇଥିବା ୯୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ବର୍ଗର ୪୭୬, ପଛୁଆ ବର୍ଗର ୨୭୫, ଅନୁସୂଚିତ ଜାତିର ୧୬୫ ଓ ଅନୁସୂଚିତ ଜନଜାତିର ୭୪ ଜଣ ଛାତ୍ରଛାତ୍ରୀ କୃତକାଯ୍ୟ ହୋଇଛନ୍ତି ।

ଓଡ଼ିଶାର ଶୁଭଙ୍କର ମହାପାତ୍ର ୪୬ ତମ ରାଙ୍କରେ ରହିଛନ୍ତି ।ସେହିଭଳି ଅମୀୟ ପ୍ରସାଦ ନନ୍ଦ ୨୪୩ ସ୍ଥାନରେ ରହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ, ୨୮ ଅକ୍ଟୋବରରୁ ୩ ନଭେମ୍ବର ୨୦୧୭ ମଧ୍ୟରେ ଲିଖିତ ପରୀକ୍ଷା ହୋଇଥିଲା । ପ୍ରତିବର୍ଷ ହେଉଥିବା ଏହି ପରୀକ୍ଷାରେ ଚଳିତଥର ମୋଟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ କୃତକାର୍ଯ୍ୟ ହୋଇଥିବା ମୋଟ ୯୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୮୦ ଜଣ ଆଇଏଏସ, ୪୨ ଜଣ ଆଇଏଫଏସ ଓ ୧୫୦ ଜଣଙ୍କୁ ଆଇପିଏସ ଭାବେ ଚୟନ କରାଯାଇଛି । ସେହିଭଳି କେନ୍ଦ୍ରୀୟ ସେବା ଗ୍ରୁପ ଏ ପାଇଁ ୫୬୫ ଓ ଗ୍ରୁପ ବି ପାଇଁ ୧୨୧ ଜଣଙ୍କୁ ଚୟନ କରାଯାଇଛି ।