ଗାଁରେ ଚାଲିଛି ଦୋଷ ଲଦାଲଦି ! ପଂଚାୟତ ନିର୍ବାଚନ ପ୍ରଚାର ବେଳେ ହାଇ ଭୋଲଟେଜ୍ ବାକଯୁଦ୍ଧ

58

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପ୍ରଚାର ବେଳେ ହାଇଭୋଲଟେଜ୍ ବାକଯୁଦ୍ଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବ୍ରହ୍ମପୁରରେ ଶାସକ ଦଳର ସାଂସଦ ଓ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଉଠାଇଛନ୍ତି, ଚିଟଫଣ୍ଡ୍ ଦୁର୍ନୀତିରେ ଶାସକ ଦଳର ନେତାଙ୍କ ସଂପୃକ୍ତି କଥା ।

ଚିଟଫଣ୍ଡ ଘୋଟାଲାରେ ଅଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନ ପ୍ରଚାର ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏହି ଅଭିଯୋଗ ଅଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓସ୍କାର ଚିଟଫଣ୍ଡ୍ ସ୍କାମ୍ ପଦାକୁ ଆସିବା ପରେ ଅଭିନେତାରୁ ଶାସକ ଦଳର ନେତା ପାଲଟିଥିବା ତିନି ତିନି ଜଣ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।

ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଓ ଦଳର ବିଧାୟକ ପ୍ରାର୍ଥୀ ପପୁ ପମପମଙ୍କ ଭୂମିକାକୁ ବିରୋଧୀ କାଠଗଡାରେ ଛିଡା କରିଥିଲେ । କାରଣ ଓସ୍କାର ବ୍ୟାନରରେ ନିର୍ମିତ ଫିଲ୍ମରେ ଏମାନେ ସମସ୍ତେ ଅଭିନୟ କରିଥିଲେ । ହେଲେ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ୍ ଶାସକ ଦଳର ଏହି ନେତାଙ୍କୁ ଥରୁଟିଏ ବି ଡାକି ନଥିଲା ପଚରାଉଚୁରା କରିବାକୁ ।

ସେପଟେ ବଲାଙ୍ଗିର ଜିଲ୍ଲାରେ ପ୍ରଚାର ବେଳେ ଆଜି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ବିଜେପିକୁ ଖୁବ୍ ଜୋରରେ ତାଛଲ୍ୟ କରିଛନ୍ତି । ଭାରତୀୟ ଜନତା ପାର୍ଟିକୁ କହିଛନ୍ତି ବେଲଜ୍ୟା ଜନତା ପାର୍ଟି । କେବଳ ସେତିକି ନୁହେଁ , ସେ କହିଛନ୍ତି ଜଣେ ଓଡିଆ ହିସାବରେ ସେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ସ୍ୱାଗତ କରିବେ । ହେଲେ ବିଜେପିର ଦୋମୁହାଁ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି ।

ପ୍ରଚାର ବେଳେ ନେତା ଦିଅନ୍ତି ଜନତାଙ୍କୁ ପ୍ରତିଶୃତି । ହେଲେ ରାଜନୀତିର ଯୁଦ୍ଧରେ ଏବେ ପ୍ରତିଶୃତି ଅପେକ୍ଷା ସମାଲୋଚନା ଅଧିକ ହୋଇଯାଇଛି । କାରଣ ଯିଏ ଯେତେ ବିରୋଧୀଙ୍କୁ ଅଧିକ ନିନ୍ଦି ପାରିଲା, ସେ ଅଧିକ ଚର୍ଚ୍ଚିତ ହେଉଛି ।