୩୦୦ କିଲୋ ବିଷ, ୪୦ ହଜାର ପିଞ୍ଜରା । ମୂଷାଙ୍କୁ ମାରିବାକୁ ଆରମ୍ଭ ହେବ ସବୁଠୁ ବଡ ଅପରେସନ

87

ଜାପାନର ତୋୟୋସୁରେ ଥିବା ବିଶ୍ୱର ସବୁଠୁ ବଡ ମାଛ ବଜାର ସୁକୁଜୀ ଆଗାମୀ ମାସରେ ବନ୍ଦ ହେବାକୁ ଯାଉଛି । ତେବେ ଏହି ବଜାର ବନ୍ଦ ହେବା ପଛରେ ଏକ ବଡ କାରଣ ରହିଛି । ଏହି ବଜାର ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ମୂଷା । ତେଣୁ ହଜାର ହଜାର ମୂଷାଙ୍କୁ ମାରିବାକୁ ଜାପାନ ସରକାର ଏକ ବଡ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ତୋୟୋସୁ ବଜାରରୁ ସମସ୍ତ ମୂଷା ମାରିବାକୁ ଆଗାମୀ ମାସରେ ପାଞ୍ଚ ଦିନ ପାଇଁ ଅଢେଇ କିଲୋମିଟର ଦୂରକୁ ସିଫ୍ଟ କରାଯିବ । ପାଖାପାଖି ୫୭ ଏକର ଜମି ପରିମିତ ଅଞ୍ଚଳରେ ଏହି ବଜାର ରହିଛି ।

୮୩ ବର୍ଷ ପୁରୁଣା ଏହି ବଜାରରେ ପ୍ରତିଦିନ ୧୪ ମିଲିୟନ ଡଲାର ବ୍ୟବସାୟ ହୋଇଥାଏ । ଏଠାରେ ୯୦୦ଟି ଦୋକାନ ରହିଛି ଯେଉଁଠି ୪୮୦ ପ୍ରକାର ସି ଫୁଡ୍ ମିଳିଥାଏ । ଏହାଛଡା ୨୭୦ ପ୍ରକାର ଫଳ ଓ ପନିପରିବା ମଧ୍ୟ ଏହି ବଜାରରେ ଉପଲବ୍ଧ ରହିଛି । ଏତେ ବଡ ବଜାରକୁ ସିଫ୍ଟ କରିବା ପାଇଁ ହଜାରରୁ ଅଧିକ ଟ୍ରକ ବ୍ୟବହାର କରାଯାଇଛି । ଏହା ସବୁଠୁ ବଡ ମାଛ ବଜାର ସହ ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟ ।

ତେବେ ଏତେ ବଡ ବଜାରେ ମୂଷାଙ୍କ ଉତ୍ପାତ ବଢି ଚାଲିଥିବା ବେଳେ ଏମାନଙ୍କୁ ନିପାତ କରିବାକୁ ଆରମ୍ଭ ହୋଇଛି ଆଣ୍ଟି ର‌୍ୟାଟ୍ ଅପରେସନ । ଏହି ଅପରେସନର ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କିଛି ଅଜବ ବା ବିପଦ ଆସିଲେ ମୂଷା ମାନେ ଏକାସଙ୍ଗରେ ଅନ୍ୟ ସ୍ଥାନକୁ ଚାଲି ଯାଇଥାନ୍ତି । ତେଣୁ ଏହି ସମୟ ହିଁ ମୂଷା ମାନଙ୍କୁ ମାରିବାର ପ୍ରକୃଷ୍ଟ ସମୟ । ଆଗାମୀ ୧୦ ଅକ୍ଟୋବରରେ ପୂରା ବଜାର ୫ ଦିନ ପାଇଁ ବନ୍ଦ ରହିବ । ତେଣୁ ଏହି ସମୟରେ ମୂଷା ମାନେ ଖାଦ୍ୟ ଅଭାବରୁ ଅନ୍ୟ ସ୍ଥାନକୁ ବାହାରିବେ । ତେଣୁ ଏହି ମୂଷା ମାନେ ଯେପରି ବଜାର ବାହାରକୁ ଯାଇ ନ ପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଏହି ମୂଷା ମାନଙ୍କୁ ଧରିବା ପାଇଁ ୧୦ ଫୁଟ୍ ଉଚ୍ଚର ଷ୍ଟିଲର କାନ୍ଥ ନିର୍ମାଣ କରାଯାଇଛି । ଏହାଛଡା ୪୦ ହଜାର ପିଞ୍ଜରା ଓ ୩୦୦ କିଲୋ ବିଷ ମଧ୍ୟ ଏହି ଅପରେସନରେ ବ୍ୟବହାର କରାଯିବ । ତେଣୁ ସ୍ଥାନୀୟ ଅଞ୍ଚଳରେ ଥିବା ରେସ୍ତୋରାଂ ଓ ବାର ମାଲିକ ମାନେ ମୂଷାଙ୍କ ଆଗମନକୁ ଦୃଷ୍ଟିରେ ରଖି ରେଡ ଆଲର୍ଟ ଜାରି କରାଯାଇଛି ।