ଅଧରାତିରେ ଲିଭିଗଲା ପରିବାରର ଆଲୁଅ: ବିମାନବନ୍ଦର ଛାତ ତଳେ ଚାପି ହୋଇଗଲା ଘରର ମେରୁଦଣ୍ଡ, ଉଜୁଡିଗଲା ସବୁ ଆଶା, ସବୁ ସ୍ୱପ୍ନ…

ସ୍ୱାମୀ ପାଇଁ ପିନ୍ଧିଥିବା ସିନ୍ଦୂର ମଥାରୁ ଲିଭିନି... ହେଲେ ହାତ କାଟି ସିନ୍ଦୂର ଦେଇଥିବା ସ୍ୱାମୀର ଜୀବନ ଦୀପ ଲିଭିଯାଇଛି । କାଲି ସକାଳେ ସ୍ୱାମୀ ପାଇଁ ସ୍ତ୍ରୀ ଯେଉଁ ସିନ୍ଦୂର ପିନ୍ଧିଥିଲା ଅଧ ରାତିରେ ତାହା ଅଧା ଲିଭିଯାଇଛି

2,461

କନକ ବ୍ୟୁରୋ: ସ୍ୱାମୀ ପାଇଁ ପିନ୍ଧିଥିବା ସିନ୍ଦୂର ମଥାରୁ ଲିଭିନି… ହେଲେ ହାତ କାଟି ସିନ୍ଦୂର ଦେଇଥିବା ସ୍ୱାମୀର ଜୀବନ ଦୀପ ଲିଭିଯାଇଛି । କାଲି ସକାଳେ ସ୍ୱାମୀ ପାଇଁ ସ୍ତ୍ରୀ ଯେଉଁ ସିନ୍ଦୂର ପିନ୍ଧିଥିଲା ଅଧ ରାତିରେ ତାହା ଅଧା ଲିଭିଯାଇଛି । କାରଣ ବିମାନ ବନ୍ଦର ଅଘଟଣରେ ଆଖି ବୁଜିଛି ସ୍ତ୍ରୀର ସିନ୍ଦୂର, ଆର ପାରିକୁ ଚାଲି ଯାଇଛି ସ୍ୱାମୀ । ଆଉ ପାହାନ୍ତି ପହରରେ ଛାତିଥରା ଖବର ପାଇ ଭୁବନେଶ୍ୱର ଛୁଟି ଆସିଥିବା ସ୍ତ୍ରୀ ସ୍ୱାମୀର ମୃତଦେହ ଦେଖି ଆଖି ଛଳଛଳ କରିଛି…

ଭୁବନେଶ୍ୱର ବିମାନ ବନ୍ଦର ଛାତ ଭୁଶୁଡି ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର ମୃତ୍ୟୁ ହୋଇଛି । ଆଉ ତାଙ୍କ ଆକସ୍ମିତ ମୃତ୍ୟୁ ପରେ ଭାଙ୍ଗି ପଡିଛି ପୂରା ପରିବାର, ନଇଁ ପଡିଛି ଘରର ମେରୁଦଣ୍ଡ । ପରିବାରର ଏକମାତ୍ର ରୋଜଗାରିଆ ମଣିଷ ହୋଇଥିବାରୁ ତାଙ୍କ ଉପରେ ଘର ସାରା ଲୋକେ ନିର୍ଭର କରୁଥିଲେ । ଆଉ ତାଙ୍କ ଅଚାନକ ମୃତ୍ୟୁ ପରେ ଏବେ କେମିତି ଚାଲିବ ପରିବାର, ସେହି ଚିନ୍ତାରେ ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ । ମୁଣ୍ଡ ପିଟି ମାଟିରେ ଲୋଟୁଛନ୍ତି ଅନ୍ତର୍ଯ୍ୟାମୀଙ୍କ ସ୍ତ୍ରୀ ।

ସେପଟେ ଖବର ଶୁଣି କାନ୍ଦ ବୋବାଳିଲେ ଫାଟି ପଡିଛି ଅନ୍ତର୍ଯ୍ୟାମୀଙ୍କ ବଡମ୍ବା ନରସିଂହପୁର ସୋଲବନ୍ଧ ଗାଁ । ଭେଣ୍ଡିଆ ପୁଅକୁ ହରାଇ ମାଆ ରାହା ଧରି କାନ୍ଦୁଛି ଆଉ ବାପା ଅବାକ ହୋଇ ଭିତରେ ଭିତରେ କାନ୍ଦୁଛନ୍ତି । ତେବେ ଯୌଥ ପରିବାର ହୋଇଥିବାରୁ ପାଞ୍ଚ ପାଞ୍ଚଟି ଝିଅଙ୍କ ବାହାଘର ଦାୟିତ୍ୱ ଅନ୍ତର୍ଯ୍ୟାମୀଙ୍କ ଉପରେ ଥିଲା । ବର୍ଷେ ପରେ ଗୋଟିଏ ଝିଅକୁ ବାହାଘର କରିଥାନ୍ତେ ଆଉ ତା ଆଗରୁ ଆଖିବୁଜିଛନ୍ତି ଅନ୍ତର୍ଯ୍ୟାମୀ । ତେବେ ସ୍ୱାମୀ ମୃତ୍ୟୁ ପରେ ପୁଅକୁ କେଉଁଠି ଚାକିରି ଖଣ୍ଡେ ଯୋଗାଇ ଦେବାକୁ ହାତ ଯୋଡି ନେହୁରା ହୋଇଛନ୍ତି ଅନ୍ତର୍ଯ୍ୟାମୀଙ୍କ ସ୍ତ୍ରୀ ।